ଘରେ ପାଳନ ହେଲା ଓଡ଼ିଶା ଦିବସ

ଭୁବନେଶ୍ୱର,୨।୪(ବ୍ୟୁରୋ): ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୫ ବର୍ଷରେ ପଦାର୍ପଣ କରିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏପ୍ରିଲ ୧ରେ ରାଜ୍ୟ ତଥା ବାହାରେ ମହାଆଡ଼ମ୍ବରରେ ପାଳନ ହେଉଥିବା ଉତ୍କଳ ଦିବସ (ଓଡ଼ିଶା ଦିବସ) ଏଥର କିନ୍ତୁ କରୋନା ଲକ୍‌ଡାଇନ୍‌ ପାଇଁ ନିରାଡ଼ମ୍ବରରେ କରାଯାଇଛି। ୨୦୦୯ ପରେ ଦ୍ୱିତୀୟଥର ରାଜ୍ୟସ୍ତରୀୟ ଉତ୍କଳ ଦିବସ ଉତ୍ସବକୁ ବାତିଲ କରାଯାଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ମଧ୍ୟ କାର୍ଯ୍ୟକ୍ରମ ବନ୍ଦ ରଖିଛନ୍ତି। ଏଭଳିସ୍ଥଳେ ଓଡ଼ିଶାର ଏହି ସ୍ମରଣୀୟ ଦିନକୁ ନିଆରା ଢଙ୍ଗରେ ପାଳନ କରିଛି ଉତ୍କଳ ସମ୍ମିଳନୀ। ସମ୍ମିଳନୀର ସଦସ୍ୟମାନେ ନିଜ ଘରେ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶା ତଥା ତତ୍କାଳୀନ ଉତ୍କଳର ବରପୁତ୍ରମାନଙ୍କୁ ମନେ ପକାଥିଲେ।
ବୁଧବାର ସକାଳ ୯ଟାରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା କାର୍ଯ୍ୟାଳୟରେ ଓଡ଼ିଶାର ନିର୍ମାତା ତଥା ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଶାଖା ସଭାପତି ଅଧିବକ୍ତା ଦିଲୀପ ଦାଶଶର୍ମା। ସେହିଭଳି ଉପଦେଷ୍ଟା ଡ. ଦ୍ୱାରିକା ନାଥ ମହାନ୍ତିି, ନିରଞ୍ଜନ ଦାଶ ଓ ନିମାଇଁ ଦାସ, ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଅଶୋକ ପାଲଟାସିଂହ, ଇଂ. ଶିବ ପ୍ରସାଦ ମିଶ୍ର, ଇଂ. ନଳିନୀ ମହାନ୍ତି, କ୍ଷେତ୍ରମୋହନ ନାୟକ ଓ ମହେଶ୍ୱର ବିଶ୍ୱାଳ ନିଜ ନିଜ ଘରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଓଡିଶା ଦିବସ ପାଳନ କରିଥିଲେ।

Share