Advertisement
Categories: ଭଦ୍ରକ

ଘରେ ପୂରାଇଲେନି ପୁଅ, ମା’ବାରଦୁଆର

ଧାମନଗର,୧୧।୮(ଡି.ଏନ.ଏ.)-ପୁଅଟିଏ ଜନ୍ମ ହେଲେ ସବୁଠୁ ବେଶୀ ଖୁସି ହୋଇଥାନ୍ତିି ମା’ବାପା। ବୃଦ୍ଧକାଳେ ସାହାରା ହେବା ଆଶାରେ ସେମାନେ ଦୁନିଆର ସବୁ ଖୁସି ପୁଅ ପାଇଁ ଅଜାଡି ଦେଇଥାନ୍ତି। ହେଲେ କେତେକ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବୃଦ୍ଧ ମା’ ବାପାଙ୍କୁ ଅସହାୟ ସମୟରେ ସାହାରା ହେବା ବଦଳରେ ଘରୁ ତଡି ଦେଉଥିବା ଭଳି ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳରେ। ବଉଳ ସାହୁ ନାମ୍ନୀ ୭୦ ବର୍ଷୀୟା ବିଧବାଙ୍କୁ ତାଙ୍କ ପୁଅ ଘରୁ ବାହାର କରିଦେବା ପରେ ସେ ଆଶ୍ରୟ ପାଇଁ ବାର ଦୁଆର ହେଉଛନ୍ତି। ବୃଦ୍ଧାଜଣକ ଗତ ୧୬ତାରିଖରେ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଘରେ ରଖିବାକୁ ପୁଅଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ସେ ତାହାକୁ ମାନି ନ ଥିଲେ। ବଉଳ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ବି ଫଳ ଶୂନ। ବାରମ୍ବାର ସେ ଥାନାକୁ ଦୌଡି ନୟାନ୍ତ ହୋଇପଡିଲେଣି। ସେ ଜଣେ ଶ୍ୱାସରୋଗୀ। ବାହାରେ ବୁଲି ବୁଲି ତାଙ୍କର ଶ୍ୱାସ ରୋଗ ବଢିଯାଇଛି। ସ୍ଥାନୀୟ ଲୋକେ ପୁଅକୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଏହାପରେ ସେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel