ଘରେ ବସି ରଥଯାତ୍ରା ରାୟ ଶୁଣାଇବେ ପ୍ରଧାନ ବିଚାରପତି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ରଥଯାତ୍ରା ଆୟୋଜନ ମାମଲାର ଶୁଣାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ କରିବେ। ନିଜ ନାଗପୁର ସ୍ଥିତ ବାସଭବନରୁ ପ୍ରଧାନ ବିଚାରପତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଶୁଣାଣି କରିବେ ବୋଲି ଜଣାପଡିଛି। ବୋବଡେଙ୍କ ସହ ଜଷ୍ଟିସ୍‌ ଏ.ଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ଦିନେଶ୍‌ ମାହେଶ୍ୱରୀ ମାମଲାର ରାୟ ପ୍ରକାଶ କରିବେ। ସୂଚନାଯୋଗ୍ୟ, ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସମ୍ମତି ପ୍ରକାଶ କରିଥିଲେ। ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରା ବନ୍ଦ ନ କରାଯାଉ। ମହାପ୍ରଭୁଙ୍କ ଘୋଷ ଯାତ୍ରା ଥରେ ବନ୍ଦ ହେଲେ ୧୨ ବର୍ଷ ଯାଏ ହୋଇପାରିବ ନାହିଁ। ଆସନ୍ତାକାଲି ଯଦି ଜଗନ୍ନାଥ ନ ବାହାରିବେ ତେବେ ୧୨ ବର୍ଷ ଯାଏ ବାହାରିବେ ନାହିଁ ବୋଲି ଯୁକ୍ତିରେ ଉଲ୍ଲେଖ କରଥିଲେ ସଲିସିଟର ଜେନେରାଲ। କେବଳ ନେଗେଟିଭ୍‌ ଟେଷ୍ଟ ସେବାୟତଙ୍କୁ ଯାତ୍ରାରେ ସାମିଲ କରାଯାଉ। ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କୋଭିଡ ନ ବ୍ୟାପିବା ପାଇଁ ପଦକ୍ଷେପ ନେଇପାରିବେ ରାଜ୍ୟ ସରକାର। ଦିନକ ପାଇଁ ସେଠାରେ କର୍ଫ୍ୟୁ ଜାରି କରାଯାଇପାରିବ ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ଏହାକୁ ସମର୍ଥନ କରିଛନ୍ତି।

Share