ଥାଇରଏଡ୍ ସମସ୍ୟା ଥିଲେ ମେଟାବୋଲିକ୍ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍ ଏବଂ ହାଇପର୍ଥାଇରଏଡ୍। ହାଇପୋଥାଇରଏଡ୍ରେ ଥାଇରଏଡ୍ ଗ୍ଲାଣ୍ଡ୍ରୁ ହରମୋନ୍ କ୍ଷରଣ କମ୍ ହୋଇଥାଏ। ଫଳରେ ମେଟାବୋଲିକ୍ ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫଳରେ ମେଦବହୁଳତା ସହିତ ନାନା ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଅପରପକ୍ଷରେ ହାଇପର୍ଥାଇରଏଡ୍ କ୍ଷେତ୍ରରେ ଥାଇରଏଡ୍ ଗ୍ଲାଣ୍ଡ୍ରୁ ଅଧିକ ହରମୋନ୍ କ୍ଷରଣ ହୋଇଥାଏ। ଫଳରେ ମେଟାବୋଲିକ୍ ପ୍ରକ୍ରିୟା ତ୍ୱରାନ୍ବିତ ହେବା ଯୋଗୁ ସମସ୍ତ ଖାଦ୍ୟ ସହଜରେ ହଜମ ହୋଇଥାଏ ମାତ୍ର ଦେହରେ ଲାଗି ନ ଥାଏ। ଫଳରେ ଶରୀର କ୍ଷୀଣକାୟ ହେବାରେ ଲାଗିଥାଏ। ଏହାର ଚିହ୍ନଟ ପାଇଁ ଥାଇରଏଡ୍ ଷ୍ଟିମ୍ୟୁଲେଟିଂ ହରମୋନ୍(ଟିଏସ୍ଏଚ୍) ପରୀକ୍ଷା କରାଯାଇଥାଏ। ତେବେ ଚିକିତ୍ସକ ଟି-୪ ପରୀକ୍ଷାକୁ ନିର୍ଭର ଯୋଗ୍ୟଭାବେ ଗ୍ରହଣ କରିଥାନ୍ତି। ଏସବୁ ପରୀକ୍ଷା ସମୟ ତଥା ବ୍ୟୟ ସାପେକ୍ଷ। କିନ୍ତୁ ଘରେ ମଧ୍ୟ ଥାଇରଏଡ୍ ଚିହ୍ନଟ ପାଇଁ ପରୀକ୍ଷା ସହଜରେ କରିହେବ। ହାଇପୋଥାଇରଏଡ୍ କ୍ଷେତ୍ରରେ ଏକ ଥର୍ମୋମିଟର ନେଇ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ସକାଳେ ଶରୀରର ତାପମାତ୍ରା ମାପିବାକୁ ହୋଇଥାଏ। ଯଦି ଅଧିକ ଥର ଏହା ଶରୀରର ସ୍ବାଭାବିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଠାରୁ କମ୍ ରୁହେ ତେବେ ହାଇପୋଥାଇରଏଡ୍ ସମସ୍ୟା ହୋଇଥିବା ଜଣାପଡ଼ିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।