ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର। ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ସେମାନଙ୍କର ସୁରକ୍ଷା ମୋର ବଡ଼ ଦାୟିତ୍ୱ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ସହଯୋଗ କରନ୍ତୁ। ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳପାଇଁ ଘରେ ରୁହନ୍ତୁ। ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା କଟକଣାକୁ ଯଦି କୌଣସି ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ପ୍ରକାଶ ଯେ, ମହାମାରୀ କରୋନା ପ୍ରଭାବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ପରେ ଏବେ ଭାରତରେ ଦେଖିବାକୁ ମିଳୁଛି। ଦେଶରେ ୨୭୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମଧ୍ୟ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ୩ହଜାରରୁ ଅଧିକ ଲୋକ ସରକାର ଦେଇଥିବା ପୋର୍ଟାଲରେ ରେଜିଷ୍ଟ୍ରେଶନ କରିଛନ୍ତି। ଏଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅପରପକ୍ଷେ ଏହାକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ରାଜ୍ୟର ୫ ଜିଲା ସହ ୮ ସହରକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଜରୁରିକାଳୀନ ସେବାଗୁଡ଼ିକ ବ୍ୟତୀତ ସବୁକିଛି ବନ୍ଦ ରହିବ। ତେବେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଘରେ ରହିଲେ ହିଁ ଆମେ ଏହି ଯୁଦ୍ଧ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share