Categories: ଗଞ୍ଜାମ

ଘରେ ଶୋଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା

ଦିଗପହଣ୍ଡି,୬ା୧୦(ଡି.ଏନ.ଏ.)-ସାମାନ୍ୟ ବଚସାକୁ ନେଇ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଘରେ ଶୋଇଥିବା ରବି ଓରଫ ରବୀନ୍ଦ୍ର ବାଡ଼ତ୍ୟାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତି ପ୍ରାୟ ୯.୨୫ରେ ରବିଙ୍କ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ନଂ. ୧୯୬/୧୯ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।
ପ୍ରକାଶ ଯେ, ଅପରାହ୍ନ ପ୍ରାୟ ୪ଟାରେ ଗାଁରେ ଖଲାସୀ କାମ କରୁଥିବା ରବି ଏବଂ ଆଦିକନ୍ଦପୁର ଗାଁର ଜଣେ ରାଜମିସ୍ତ୍ରି ସାଙ୍ଗ ହୋଇ ଦେଶୀ ମଦ ଭାଟିକୁ ଯାଇଥିଲେ। ସେଠାରେ ନିଶାସକ୍ତ ହେବାପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ରବି ରାଜମିସ୍ତ୍ରିଙ୍କ ସାଇକେଲଟିକୁ ଛଡ଼ାଇ ନେଇଯାଇଥିଲେ। ରାଜମିସ୍ତ୍ରି ଜଣକ ଗାଁର ଦୁର୍ଗା ପୂଜା ମଣ୍ଡପ ନିକଟକୁ ଆସି ଅନ୍ୟଜଣଙ୍କୁ କହିଥିଲେ। ସେ ମଧ୍ୟ ନିଶାସକ୍ତ ଥିଲେ। ପରେ ଉଭୟ ରବିଙ୍କ ଘରକୁ ସାଇକେଲ ଆଣିବାକୁ ଯାଇଥିଲେ। ରବି ଘରେ ଶୋଇଥିବା ସମୟରେ ରାଜମିସ୍ତ୍ରିଙ୍କ ସହ ଆସିଥିବା ବ୍ୟକ୍ତି ତାଙ୍କୁ ଟାଣି ଆଣି ସାଇକେଲ କଥା ପଚାରିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଉକ୍ତ ବ୍ୟକ୍ତି ରବିଙ୍କ ଜଙ୍ଘ, ହାତ ଓ ପିଠିକୁ ଛୁରା ମାଡ଼ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବିଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଆଘାତ କାରଣରୁ ସେ ମୃତ୍ୟୁବରଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।