Categories: ଜାତୀୟ

ଘରୋଇକରଣ ଯୋଗୁ ଅନେକଙ୍କ ଚାକିରି ଯିବ

ନୂଆଦିଲ୍ଲୀ,୧୭।୫: ଦେଶର ୮ଟି ପ୍ରମୁଖ ସେକ୍ଟର ଉପରେ ସରକାରଙ୍କ ନୂଆ ନୀତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ସମାଲୋଚନା କରିଛି। ଅତ୍ୟଧିକ ଘରୋଇକରଣ ଯୋଗୁ ବହୁସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ। କରୋନା ମହାମାରୀ ବେଳେ ଘରୋଇ ଉଦ୍ୟୋଗ ଓ ବଜାର ଅଚଳ ହୋଇପଡ଼ିଥିବାବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚତୁର୍ଥ ଦିନରେ ଯେଉଁ ଘୋଷଣା କରିଛନ୍ତି, ତାହା ରାଷ୍ଟ୍ର ପାଇଁ ଦୁଃଖର ଦିନ ବୋଲି ବିଏମ୍‌ଏସ୍‌ ସାଧାରଣ ସମ୍ପାଦକ ବିର୍ଜେଶ ଉପାଧ୍ୟାୟ କହିଛନ୍ତି। କରୋନା ମହାମାରୀ ବେଳେ ଆର୍ଥତ୍କ ଅଭିବୃଦ୍ଧି ବଢ଼ାଇବା ପାଇଁ ପ୍ରମୁଖ ୮ଟି ସେକ୍ଟର କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ଆକାଶମାର୍ଗ ଯଥା ପରିଚାଳନା, ବିମାନବନ୍ଦର, ବିଦ୍ୟୁତ ପରିବଣ୍ଟନ, ମହାକାଶ ଓ ଆଣବିକ ଶକ୍ତିରେ ଅର୍ଥମନ୍ତ୍ରୀ ବଡ଼ ଧରଣର ନୀତିଗତ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏନେଇ ସରକାର ଟ୍ରେଡ୍‌ ୟୁନିୟନ, ସାମାଜିକ ପ୍ରତିନିଧି ଓ ଷ୍ଟେକ୍‌ହୋଲ୍ଡରମାନଙ୍କ ସହ ପରାମର୍ଶ କିମ୍ବା ଆଲୋଚନା କରିନାହାନ୍ତି। ଢାଞ୍ଚାଗତ ସଂସ୍କାର ଓ ପ୍ରତିଯୋଗିତାର ଅର୍ଥ ଘରୋଇକରଣ। ଏହାର ପ୍ରଥମ ପ୍ରତିକୂଳ ପ୍ରଭାବ କର୍ମଚାରୀମାନଙ୍କ ଉପରେ ପଡିବ। ବହୁସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି ଉପାଧ୍ୟାୟ କହିଛନ୍ତି। ସରକାରଙ୍କ ଘୋଷଣାକୁ ବାମଦଳଗୁଡ଼ିକ ମଧ୍ୟ ସମାଲୋଚନା କରିଛନ୍ତି। ସରକାରୀ ସମ୍ପତ୍ତିର ଘରୋଇକରଣ ପାଇଁ ମହାମାରୀକୁ ଏକ ସୁଯୋଗ ଭାବେ ନିଆଯାଉଥିବା ବାମଦଳ ପକ୍ଷରୁ କୁହାଯାଇଛି। ସରକାର ଏକପାଖିଆ ଭାବେ ଧନୀ, ବିଦେଶୀ ଓ ଘରୋଇ ପୁଞ୍ଜିପତିମାନଙ୍କ ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛନ୍ତି। ଅତ୍ୟଧିକ ଲାଭ ମାନବିକତା ବିରୋଧୀ। ଜାତୀୟ ସମ୍ପତ୍ତି ଲୁଟ କରିବା ଦ୍ୱାରା ଆତ୍ମନିର୍ଭରଶୀଳତା ଧ୍ୱଂସ ହେବ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ଲକ୍‌ଡାଉନ ଯୋଗୁ ଭାରତରେ ୧୪ କୋଟି ନିୟୁକ୍ତି ହରାଇଲେଣି ଓ ଅନେକଙ୍କ ଜୀବନ ଗଲାଣି। ମହାମାରୀ ରୋକିବାରେ ଲକ୍‌ଡାଉନକୁ କିପରି ବ୍ୟବହାର କରାଯାଉଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଘୋଷଣା କେବଳ ଘରୋଇକରଣ ଓ ନିଗମୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି।

Share