ଘରୋଇ-ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଘରୋଇ ତଥା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ ମାର୍ଗଦର୍ଶିକା ଅନୁସାରେ ଯାତ୍ରା ସମୟରେ କ’ଣ କରାଯିବ ଏବଂ ନ କରାଯିବ ତାହାର ସୂଚନା ଟିକଟ ସହିତ ସମ୍ପୃକ୍ତ ଏଜେନ୍ସି ଯାତ୍ରୀଙ୍କୁ ଉପଲବ୍ଧ କରାଇବେ। ବିମାନ ଅବା ଜାହାଜରେ ପ୍ରବେଶ ପୂର୍ବରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ଯେଉଁମାନଙ୍କ ରିପୋର୍ଟ ଠିକ୍‌ ଆସିବ କେବଳ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ସେହିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ୧୪ ଦିନର କ୍ୱାରାଣ୍ଟାଇନ୍‌ରେ ରଖାଯିବ। ସେଥିମଧ୍ୟରୁ ୭ ଦିନ ସରକାରୀ ସେଣ୍ଟରରେ ଏବଂ ୭ ଦିନ ଆଇସୋଲେଶନରେ ରହିବାକୁ ହେବ। ସରକାରୀ ସେଣ୍ଟରରେ ଯାତ୍ରୀମାନଙ୍କୁ ୭ ଦିନର ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ନିୟମକୁ ସସର୍ତ୍ତ କୋହଳ କରାଯିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Share