Categories: ଖେଳ

ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.):  ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ ହେବ। ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏକାଡେମୀ ଓ ସଂସ୍ଥାଗତ ୟୁନିଟ୍‌ରେ ହକିର ଉନ୍ନତି ପାଇଁ ଓ ଖେଳାଳି ତଥା ଆଥ୍‌ଲେଟଙ୍କ ଭାଗୀଦାରି ବଢାଇବା ପାଇଁ ହକି ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହକି ଇଣ୍ଡିଆ କାର୍ଯ୍ୟକାରୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
ସବ୍‌-ଜୁନିୟର, ଜୁନିୟର ଓ ଉଭୟ ପୁରୁଷ ଓ ମହିଳା ସିନିୟର ଜାତୀୟ ଚାମ୍ପିୟନଶିପ୍‌ର ପୁନର୍ଗଠନ ହେବ। ନୂଆ ନିୟମ ଅନୁସାରେ ଜଣେ ପୁରୁଷ ଓ ମହିଳା ଖେଳାଳି ତାଙ୍କ ଦଳ ତରଫରୁ ମାତ୍ର ଗୋଟିଏ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ପୁଣି ଜଣେ ଆଥ୍‌ଲେଟ କେବଳ ଗୋଟିଏ ବୟସବର୍ଗର ଟୁର୍ନାମେଣ୍ଟ ଯଥା ସବ୍‌-ଜୁନିୟର, ଜୁନିୟର କିମ୍ବା ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟାରେ ଆଥ୍‌ଲେଟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ହକି ଇଣ୍ଡିଆର ସବୁ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ହେଲେ ସବୁ ରାଜ୍ୟ ୟୁନିଟ୍‌ଗୁଡିକୁ ସବୁ ବୟସବର୍ଗରେ ରାଜ୍ୟସ୍ତରୀୟ ଚାମ୍ପିୟନଶିପ ଆୟୋଜନ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ପୂର୍ବରୁ ଏ ଓ ବି ଡିଭିଜନରେ ଜାତୀୟ ଚାମ୍ପିୟନଶିପ୍‌ରେ ଆୟୋଜିତ ହେଉଥିଲା। ତେବେ ଏବେ ଏହାକୁ ବାତିଲ କରାଯାଇଛି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ କହିଛନ୍ତି। ଅଧିକ ସଂଖ୍ୟାରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଏକାଡେମୀ ମମ୍ବେରଗୁଡିକୁ ହକି ଆଡକୁ ଆକର୍ଷିତ କରିବା ପାଇଁ ଓ ଖେଳାଳି ସୃଷ୍ଟି କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁସ୍ତାକ କହିଛନ୍ତି। ତେବେ ଟୁର୍ନାମେଣ୍ଟ ପଲିସି, ଗାଇଡ୍‌ଲାଇନ୍‌ଗୁଡିକ ପୂର୍ବପରି ବଳବତ୍ତର ରହିବ। ସବୁ ଜାତୀୟ ଚାମ୍ପିୟନଶିପ୍‌ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡିକର ସଂଖ୍ୟାକୁ ଦୃଷ୍ଟିରେ ରଖି ପୁଲ୍‌ ସଂଖ୍ୟା ମଧ୍ୟ ନିର୍ଭର କରିବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)ର ସଦ୍ୟତମ ନିୟମ ଅନୁସାରେ ଟୁର୍ନାମେଣ୍ଟଗୁଡିକ ଆୟୋଜନ ହେବ ବୋଲି କୁହାଯାଇଛି।

Share