Categories: ବାଣିଜ୍ୟ

ଘରୋଇ କମ୍ପାନୀଙ୍କୁ ମିଳିପାରେ ଟ୍ରେନ ପରିଚାଳନା ଅଧିକାର

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର କେତେକ ରୁଟ୍‌ରେ ପାସେଞ୍ଜର ଟ୍ରେନ ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀଙ୍କ ହାତରେ ଟେକିଦେବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ରେଲଓ୍ବେ ବୋର୍ଡର ଏକ ଦସ୍ତାବେଜ୍‌ରୁ ଜଣାପଡିଛି ଯେ, କେନ୍ଦ୍ର ସରକାର ୧୦୦ ଦିନ ଭିତରେ କମ୍‌ ଭିଡ ଥିବା ଏବଂ ଟୁରିଷ୍ଟ ରୁଟ୍‌ରେ ଟ୍ରେନ ଚଳାଇବାକୁ ଘରୋଇ କମ୍ପାନୀଙ୍କ ଠାରୁ ବିଡ୍‌ ଆହ୍ବାନ କରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭିକ ଅଭିଜ୍ଞତା ହାସଲ ଲାଗି ଭାରତୀୟ ରେଲଓ୍ବେ ଆଇଆର୍‌ସିଟିସିକୁ ଦୁଇଟି ଟ୍ରେନର ପରିଚାଳନା ଦାୟିତ୍ୱ ଦେବେ। ଟିକେଟ ଓ ଟ୍ରେନ ଭିତରେ ସେବା ପ୍ରଦାନ କରିବାର ଦାୟିତ୍ୱ ମଧ୍ୟ ଆଇଆର୍‌ସିଟିସି ହାତରେ ରହିବ। ଏହା ବଦଳରେ ରେଲଓ୍ବେକୁ ଏକ ନିର୍ଦ୍ଧାରିତ ରାଶି ମିଳିବ। ଏହାବ୍ୟତୀତ ରେଲଓ୍ବେର ର଼୍ୟାକ୍‌ ଦାୟିତ୍ୱ ମଧ୍ୟ ଆଇଆର୍‌ସିଟିସିକୁ ପ୍ରଦାନ କରାଯିବ। ଏହା ବଦଳରେ ରେଲଓ୍ବେର ବିତ୍ତୀୟ ଶାଖା ଭାରତୀୟ ରେଲଓ୍ବେ ଆର୍ଥିକ ପ୍ରାଧିକରଣ(ଆଇଆର୍‌ଏଫ୍‌ସି)କୁ ବାର୍ଷିକ ଲିଜ୍‌ ଚାର୍ଜ ପାଇବେ। ଏହି ଟ୍ରେନ ବଡ଼ ସହରକୁ ଯୋଡିବା ସହ ସ୍ବର୍ଣ୍ଣିମ ଚତୁର୍ଭୁଜ ମାର୍ଗରେ ଚାଲିବ। ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ବି.କେ.ଯାଦବ କହିଛନ୍ତି ଯେ, ରେଲଓ୍ବେ ପକ୍ଷରୁ ଘରୋଇ କମ୍ପାନୀଙ୍କୁ ବିଡ ଦାଖଲ ଲାଗି ସୁଯୋଗ ଦିଆଯିବ।

Share