Categories: ଜାତୀୟ

ଘରୋଇ କମ୍ପାନୀର ଜଣେ କର୍ମଚାରୀ କରୋନା ସଂକ୍ରମିତ: ସ୍ବାସ୍ଥ୍ୟ ବିଭାଗର ନଜରରେ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ

ନୋଏଡା,୧୩।୩: ଭାରତରେ ଆଉ ଏକ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନୋଏଡାରେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରୁଥିବା ଜଣେ କର୍ମଚାରୀ କରୋନା ଭାଇରସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏନେଇ ନୋଏଡାର ସିଏମ୍‌ଓ ଶୁକ୍ରବାର ସୂଚନା ଦେଇଛନ୍ତି। ଏହା ସହିତ ଭାରତରେ କରୋନା ଭାଇରସ୍‌ ମାମଲା ୭୫କୁ ଟପିଛି। ସୂଚନାଯୋଗ୍ୟ, ଉକ୍ତ ସଂକ୍ରମିତ ବ୍ୟକ୍ତି ଦିଲ୍ଲୀରେ ରହୁଥିବା ବେଳେ ନିକଟରେ ସେ ଫ୍ରାନ୍ସ , ଇଟାଲି ଓ ଚାଇନାରୁ ଫେରିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟଗତ ସମସ୍ୟା ହେବାରୁ ସେ ନିଜର ଯାଞ୍ଚ କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ କମ୍ପାନୀରେ ପ୍ରଥମ ପଜିଟିଭ୍‌ ମାମଲା ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ୭୦୭ କର୍ମଚାରୀଙ୍କୁ ସ୍ବାସ୍ଥ୍ୟବିଭାଗର ନଜରରେ ରଖାଯାଇଛି। ଅପରପକ୍ଷେ କରୋନାରୁ ମୁକୁଳିବା ପାଇଁ ରାଜ୍ୟରେ ସ୍କୁଲ, କଲେଜ ଓ ସିନେମା ହଲ୍‌କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

Share