ଘରୋଇ କଲେଜ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ବଡ଼ମ୍ବା,୯ା୯(ଡି.ଏନ.ଏ.): କଟକ ଜିଲା ବଡ଼ମ୍ବା ବ୍ଲକ ଅଧୀନ ବିଧାରପୁରଠାରେ ଥିବା ଏକ ଘରୋଇ କଲେଜ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କ ରବିବାର ରାତିରେ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ସୂର୍ଯ୍ୟକାନ୍ତ ସାମଲ(୧୭)। କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ମୃତ ଛାତ୍ରଙ୍କ ବାପା ସୋମବାର ମାଣିଆବନ୍ଧ ଫାଣ୍ଡିରେ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ନଂ-୧୮୩/୧୯ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହିତ ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲା ବାଲିମୀ ଥାନା ଅଧୀନ ଗାରିଲୋ ଗ୍ରାମର ତାପସ ସାମଲଙ୍କ ପୁଅ ସୂର୍ଯ୍ୟକାନ୍ତ ଚଳିତ ବର୍ଷ ଏଠାରେ ନାମ ଲେଖାଇଥିଲେ। ୨ ମାସ ହେବ ସେ କଲେଜ ହଷ୍ଟେଲରେ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ରବିବାର ରାତିରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କଲେଜ କର୍ତ୍ତୃପକ୍ଷ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରଙ୍କ ପରିବାର ଲୋକେ ପହଞ୍ଚତ୍ ଘଟଣା ସମ୍ପର୍କରେ ବୁଝିବା ପରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ବଡ଼ମ୍ବା ଥାନା ଓ ମାଣିଆବନ୍ଧ ଫାଣ୍ଡି ଅଧିକାରୀ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଛାତ୍ର ଜଣକ ତାଙ୍କ ରୁମ୍‌ରେ ଏକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଥାନା ଅଧିକାରୀ ଜ୍ଞାନରଞ୍ଜନ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ, ପ୍ରାଥମିକ ପର୍ଯ୍ୟାୟରେ ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।