ଘରୋଇ କଳହରୁ ମା’ଙ୍କୁ ପିଟି ମାରିଲା ପୁଅ

ଧାମନଗର,୧।୬(ଡି.ଏନ.ଏ.)- ଘରୋଇ କଳହକୁ କେନ୍ଦ୍ର କରି ମା’ଙ୍କୁ ପିଟି ପିଟି ହତ୍ୟା କରି ପୁଅ ବିଲରେ ଫିଙ୍ଗିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୯୪/୨୦) ରୁଜୁ କରି ଅଭିଯୁକ୍ତ ସାନ ପୁଅ ନିରଞ୍ଜନ ଜେନାଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ ମାତାଜୀ ଜେନା (୬୦)। ସମ୍ପୃକ୍ତ ମହିଳାଙ୍କ ମୃତଦେହ ପଛାଲୋ ନିକଟ ଏକ ବିଲରୁ ଉଦ୍ଧାର ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ତାଙ୍କ ସାନ ପୁଅକୁ ନେଇ ପରିବାରରେ ସବୁବେଳେ କଳହ ହୋଇଆସୁଥିଲା। ଗତ ୨୮ ତାରିଖରେ ସାନପୁଅ ନିରଞ୍ଜନ ଏବଂ ମା’ ମାତାଜୀଙ୍କ ମଧ୍ୟରେ ଯୁକ୍ତି ହେବା ସହିତ ମାଡଗୋଳ ମଧ୍ୟ ହୋଇଥିଲା। ନିରଞ୍ଜନ ମା’ଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ତାଙ୍କ ବାପା ଅନାଦି ଅଭିଯୋଗରେ ଦର୍ଶାଇଛନ୍ତି। ଗତ ୨୯ ତାରିଖ ସନ୍ଧ୍ୟାରେ ମାତାଜୀ ତାଙ୍କ ସାନ ପୁଅ ସହିତ ବାପଘରକୁ ଯିବାକୁ କହି ଘରୁ ବାହାରିଥିଲେ। ବାଟରେ ମା’ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ନିରଞ୍ଜନ ତାଙ୍କ ମା’ଙ୍କୁ ପିଟି ପିଟି ହତ୍ୟା କରିବାପରେ ବିଲ ମଝିକୁ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷେ ଅନାଦି ଶ୍ୱଶୁରଘରକୁ ଫୋନ କରିବାରୁ ତାଙ୍କ ସ୍ତ୍ରୀ ସେଠାକୁ ଯାଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ମାତାଜୀଙ୍କର ମୃତଦେହ ବିଲରେ ପଡିଥିବା ଶନିବାର ସନ୍ଧ୍ୟାରେ ଖବର ମିଳିଥିଲା। ରବିବାର ସକାଳେ ଧୂଷୁରୀ ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।