ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ

ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ ବାଧ୍ୟ ହୋଇ ପୁରୁଣା ବହି ଜେରକ୍ସ କରି ଖର୍ଚ୍ଚାନ୍ତ ହେବା ସହ ହଟହଟା ହେଉଛନ୍ତି। ଏଭଳି ସମସ୍ୟା ଯୋଗୁ ବିଶେଷ କରି ବାଣପୁର, ଚିଲିକା, ଟାଙ୍ଗୀ ବ୍ଲକର ଘରୋଇ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାହତ ଘଟୁଛି। ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବହେଳା କରାଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ, ସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବହି ସିଧାସଳଖ ସରକାରୀ ଛପାଖାନାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥାଏ । ଏହା ସରକାରୀ ବିଦ୍ୟାଳୟକୁ ପଠାଇ ଦିଆଯାଏ । ମାତ୍ର ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରିତ ମୂଲ୍ୟରେ କିଣିବା ବହି ପ୍ରତିବ୍ଲକକୁ ନ ଆସି କେତୋଟି ବ୍ଲକ ପାଇଁ ଗୋଟିଏ ବ୍ଲକରେ ଡ଼ିପୋ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ଟାଙ୍ଗୀ, ଚିଲିକା, ବାଣପୁର ବ୍ଲକର ଘରୋଇ କାର୍ଯ୍ୟାଳୟରେ ଡିପୋ ଖୋଲାଯାଇଛି । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହେବାରୁ ଘରୋଇ ଅନୁଷ୍ଠାନର ଛାତ୍ରୀଛାତ୍ର ପୁରୁଣା ବହିକୁ ଜେରକ୍ସ କରି ବହି ପିଛା ୬୦ରୁ ୧୦୦ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଏ ସମ୍ପର୍କରେ ବାଣପୁର ବିଇଓ ସନାତନ ଜାଲି କହନ୍ତି, ଠିକ୍‌ ସମୟରେ ଘରୋଇ ସ୍କୁଲ ସେମାନଙ୍କର ଆବଶ୍ୟକ ବହି ତାଲିକା ଦେଉନାହାନ୍ତି । ଫଳରେ ପ୍ରେସ୍‌କୁ ଯାଇପାରୁନି । ଯେତିକି ବହି ଆସିଛି ତାକୁ ବଣ୍ଟାଯାଇଛି ।
ଅପରପକ୍ଷରେ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ କହିଛନ୍ତି, ଆମେ ବାରମ୍ବାର ଟଙ୍କା ଓ ତାଲିକା ନେଇ ‘ବୁକ୍‌ ଡିପୋ’କୁ ଗଲେ ମଧ୍ୟ ବହି ନାହିଁ ବୋଲି ଶୁଣି ଫେରି ଆସୁଛୁ।