Categories: ବାଣିଜ୍ୟ

ଘରୋଇ ପେସାଦାରଙ୍କ ହାତରେ ରହିବ ରେଲଓ୍ବେର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭-୬: ଭାରତୀୟ ରେଲଓ୍ବେର ପ୍ରଚାର ଅଭିଯାନ(ପବ୍ଲିସିଟି କ୍ୟାମ୍ପେନ)ର ନୂଆ କଳେବର ହେବାକୁ ଯାଉଛି। ଏଥିଲାଗି ୧୭ ଘରୋଇ ପେସାଦାରଙ୍କୁ ନିଯୁକ୍ତ କରାଯିବ। ପ୍ରତି ଜୋନ୍‌ ଲାଗି ଗୋଟିଏ ଲେଖାଏ ଟିମ୍‌ ଗଠନ ହେବ, ଯେଉଁଥିରେ ଜଣେ ଟିମ୍‌ ଲିଡରଙ୍କ ସହିତ ସୋସିଆଲ ମିଡିଆ ମ୍ୟାନେଜର, କଣ୍ଟେଣ୍ଟ ଆନାଲିଷ୍ଟ, କଣ୍ଟେଣ୍ଟ ରାଇଟର ଏବଂ ଭିଡିଓ ଏଡିଟରଙ୍କ ଭଳି ଟେକ୍ନିକାଲ ବିଶେଷଜ୍ଞଙ୍କୁ ସାମିଲ ହେବେ। ଗୋଟିଏ ଟିମ୍‌ ପାଇଁ ବାର୍ଷିକ ୨ କୋଟି ଟଙ୍କା ଖର୍ଚ୍ଚ ହେବ।
ବର୍ତ୍ତମାନ ରେଲଓ୍ବେର ପ୍ରଚାର ଅଭିଯାନ ଲାଗି ୧୮ ଜୋନ୍‌ରେ ୭୦ ଅଧିକାରୀ କାମ କରୁଛନ୍ତି। ରେଲଓ୍ବେର ଚିଫ୍‌ ପବ୍ଲିକ୍‌ ରିଲେସନ୍ସ ଅଫିସର(ସିପିଆର୍‌ଓ) ଏମାନଙ୍କୁ ଗାଇଡ୍‌ଲାଇନ୍‌ ଜାରି କରନ୍ତି। ନିଜ ନିଜ ଜୋନ୍‌ରେ ନିଯୁକ୍ତ ହେବାକୁ ଥିବା ସମସ୍ତ ଘରୋଇ ପେସାଦାର ସିପିଆର୍‌ଓଙ୍କ ଅଧୀନରେ କାର୍ଯ୍ୟ କରିବେ। ରେଲଓ୍ବେ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ସୋସିଆଲ ମିଡିଆ ଯେପରିକି ଫେସ୍‌ବୁକ୍‌ , ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ପ୍ଲାଟଫର୍ମ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ରେଲଓ୍ବେ ସମ୍ପର୍କିତ କୌଣସି ଅଭିଯୋଗ ମିଳିଲେ, ଏହି ଟିମ୍‌ ଏହାର ସମାଧାନ କରିବାରେ ନିଜର ଭୂମିକା ନିର୍ବାହ କରିବ। ସମସ୍ତ ଟିମ୍‌କୁ ନିଜର ମାସିକ ତଥା ତ୍ରୈମାସିକ କାର୍ଯ୍ୟାବଳୀ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ହେବ। ପ୍ରତ୍ୟେକ ଟିମ୍‌ ନିଜ ଜୋନ୍‌ରେ ଏକ ଡ୍ୟାଶ୍‌ବୋର୍ଡ ତିଆରି କରିବାକୁ ପଡିବ। ଏହି ଡ୍ୟାଶ୍‌ବୋର୍ଡରେ ନୂଆ ନ୍ୟୁଜ୍‌ ଆର୍ଟିକିଲ୍‌ ଏବଂ ଟିଭିରେ ଚାଲୁଥିବା କ୍ଲିପ୍‌ର ଅନ୍‌ଲାଇନରେ ଦର୍ଶାଇବାକୁ ହେବ। ପ୍ରତ୍ୟେକ ଟିମ୍‌ର ଡ୍ୟାଶ୍‌ବୋର୍ଡ ତିଆରି କରିବା ଲାଗି ୩ରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେ କହିଛନ୍ତି ଯେ, ରେଲଓ୍ବେରେ ଏବେ ଘରୋଇ ଏଜେନ୍ସି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ତେବେ ଏବେ ଏହି ପ୍ରକ୍ରିୟାକୁ ନୂଆ ରୂପ ଦିଆଯାଉଛି। ଏହି ଟିମ୍‌ ସୋସିଆଲ ମିଡିଆକୁ ହ୍ୟାଣ୍ଡେଲ କରିବେ। ପ୍ରଚାର ଅଭିଯାନରେ ମିଡିଆକୁ ସହାୟତା କରିବା ସହିତ ଏହି ଟିମ୍‌ ମିଡିଆ ରିପୋର୍ଟର ଆକଳନ ମଧ୍ୟ କରିବ ବୋଲି ସେ କହିଛନ୍ତି।

Share