ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୧୨ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ଏକ ଘରୋଇ ବ୍ୟାଙ୍କରେ ରଖାଯିବା ଘଟଣାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଇଆଇସିଙ୍କୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ମହାପ୍ରଭୁଙ୍କର ପ୍ରାୟ ୬୦୦କୋଟି ଟଙ୍କାକୁ ପଦ ଓ କ୍ଷମତାର ଦୁରୁପଯୋଗ କରି କେତେଜଣ ଅଧିକାରୀ ଏକ ଘରୋଇ ବ୍ୟାଙ୍କରେ ଜମା ରଖିଛନ୍ତି। ଏହା ପଛରେ ଏକ ଷଡ଼ଯନ୍ତ୍ର ରହିଛି। ଯେଉଁ ଅଧିକାରୀମାନେ ଏପରି କରିଛନ୍ତି ସେମାନଙ୍କୁ ସମ୍ପୃକ୍ତ ବ୍ୟାଙ୍କ ବିଦେଶ ଗସ୍ତରେ ନେଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ନିୟମାନୁଯାୟୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଟେଣ୍ଡର ଡକାଯାଇ ଠାକୁରଙ୍କ ଟଙ୍କା ରଖାଯିବା କଥା। କିନ୍ତୁ କାହାର ସ୍ବାର୍ଥ ପାଇଁ ଘରୋଇ ବ୍ୟାଙ୍କରେ ଟଙ୍କା ରଖାଯାଇଛି। ଏଥିରେ କିଏ ପିସି ଏବଂ ଲାଞ୍ଚ ନେଇଛନ୍ତି ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। ଭକ୍ତଙ୍କ ଦାନ ଟଙ୍କାକୁ ନେଇ ଯେଉଁମାନେ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଉ ବୋଲି ସେନା ଦାବି କରିଛି। ସେନାର ଆବାହକ ପ୍ରିୟଦର୍ଶନ କହିଛନ୍ତି, ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଧନକୁ ଲୁଟିଥିବା ଅଧିକାରୀଙ୍କୁ କଠୋର ଦଣ୍ଡ ଆମେ ଦାବି କରୁଛୁ ।