ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ଭିଜିଲାନ୍ସରେ ଅଭିଯୋଗ କଲେ ଜଗନ୍ନାଥ ସେନା

ପୁରୀ ଅଫିସ,୭।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ବ୍ୟାଙ୍କରେ ଜମା ରଖାଯିବାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଶନିବାର ସେନା ପକ୍ଷରୁ ପୁରୀ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ(ଭିଜିଲାନ୍ସ ଅଫିସର)ରେ ଅଭିଯୋଗ କରାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ରୁ ଊର୍ଦ୍ଧ୍ୱ ସେନା ସଦସ୍ୟ ଭିଜିଲାନ୍ସ ଅଫିସରେ ପହଞ୍ଚି ଡିଏସ୍‌ପିଙ୍କୁ ଅଭିଯୋଗପତ୍ର ଦେଇଥିଲେ। କେଉଁ ପରିସ୍ଥିତିରେ ଏବଂ କେଉଁ ପ୍ରଶାସନିକ ଅଧିକାରୀ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି ତା’ର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ପୂର୍ବରୁ କେଉଁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରହୁଥିଲା ଏବଂ କେବେ ୟେସ୍‌ ବ୍ୟାଙ୍କକୁ ଏହି ଟଙ୍କା ସ୍ଥାନାନ୍ତର କରାଯାଇଛି ସେ ସବୁର ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।