ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ମନ୍ତ୍ରୀ ସହ ଆଲୋଚନା: ସମସ୍ୟା ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନଗୁଡ଼ିକର ଏକ ପ୍ରତିନିଧି ଦଳ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରୁ ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ର ପଞ୍ଜୀକରଣ ଓ ନବୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ବାବଦରେ ବକେୟା ପ୍ରାପ୍ୟ ପ୍ରଦାନ, ୩୦ ଶଯ୍ୟାବିଶିଷ୍ଟ ନର୍ସିଂହୋମ୍‌ ପାଇଁ ଉଚ୍ଚତା ୧୨ ମିଟର ଥିବାବେଳେ ଏହାକୁ ୧୫ ମିଟରକୁ ବୃଦ୍ଧି କରିବା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଦାବିଗୁଡ଼ିକ ଉପରେ ମନ୍ତ୍ରୀ ଦାସ ଆଲୋଚନା କରି ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ନିର୍ଦ୍ଧାରଣ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପ୍ରଚଳିତ ନିୟମକୁ କୋହଳ କରିବା ଦିଗରେ ଉଦ୍ୟମ କରିବେ ବୋଲି କହିଥିଲେ। ଆଲୋଚନାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଗୃହ ବିଭାଗ, ନଗର ଉନ୍ନୟନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Share