ଘରୋଇ ସଂସ୍ଥାକୁ ସେସୁ ପରିଚାଳନା ଦାୟିତ୍ୱକୁ ବିରୋଧ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ୍‌ ବିତରଣ ପରିଚାଳନା ସଂସ୍ଥା ସେସୁକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ସିପିଆଇଏମ ଘୋର୍‌ ବିରୋଧ କରିଛି। ଏନେଇ ଦଳ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି। ସିପିଆଇଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଓ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ୩ଥର ଘରୋଇ ସଂସ୍ଥାକୁ ବିଦ୍ୟୁତ୍‌ ବିତରଣ ପରିଚାଳନା ଦାୟିତ୍ୱ ଦେଇ କ୍ଷତି ସହିଛନ୍ତି। ଘରୋଇ ସଂସ୍ଥା ମଧ୍ୟ ନାନା ବାହାନା ଦେଖାଇ ରାଜ୍ୟ ସରକାରଙ୍କଠାରୁ ପରିଚାଳନା ଦାୟିତ୍ୱ ନେଇ କୋଟି କୋଟି ଟଙ୍କା ପୈଠ ନ କରି ଖସିଯାଇଛନ୍ତି। ଏଭଳି ଅଭିଜ୍ଞତା ଥାଇ ସରକାର ପୁଣି ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେବା ଗ୍ରାହକ ନୀତି ବିରୋଧୀ ଓ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Share