ଘରୋଇ ହସ୍ପିଟାଲକୁ ପୁଣି ଚେତାବନୀ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ (କଣ୍ଟ୍ରୋଲ ଓ ରେଗୁଲେଶନ) ଆକ୍ଟ ଓ ଏହା ଅଧୀନରେ ଆସୁଥିବା ନିୟମଗୁଡ଼ିକୁ ପାଳନ କରୁନାହାନ୍ତି। ପୁଣି ଅଭିଯୋଗ ଆସିବା ପରେ ସରକାର ଚେତାବନୀ ଦେଇଛନ୍ତି। ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସମ୍ପୃକ୍ତ ହସ୍ପିଟାଲର ପଞ୍ଜୀକରଣ ବାତିଲ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ସୂଚନାଯୋଗ୍ୟ, ନିୟମ ଅନୁସାରେ ହସ୍ପିଟାଲଗୁଡ଼ିକ ଗୁରୁତର ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରିବା ପୂର୍ବରୁ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବେ। ତେବେ ଅନେକ ସମୟରେ ଏହି ନିୟମକୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ଗୁଡ଼ିକୁ ପାଳନ କରୁ ନ ଥିବା ନଜରକୁ ଆସିଛି। ତେଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ହସ୍ପିଟାଲ, ନର୍ସିଂହୋମ୍‌ଗୁଡ଼ିକୁ ରାଜ୍ୟ ସରକାର ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ହସ୍ପିଟାଲରେ ଚିକିତ୍ସା ସୁବିଧା ରହିଛି, ତେବେ ଚିକତ୍ସା ନ କରି କୌଣସି ରୋଗୀଙ୍କୁ ଫେରାଇ ଦେଇପାରିବେ ନାହିଁ। ଯଦି ଏନେଇ କୌଣସି ଅଭିଯୋଗ ଆସିବ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Share