ଘରୋଇ ହସ୍ପିଟାଲରେ ଉତ୍ତେଜନା, ଭଙ୍ଗାରୁଜା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା କରିବା ଘଟଣାରେ ଖଣ୍ଡଗିରି ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସୟିଦ ଫଶରୁକ୍‌ ଅଲ୍ଲୀ(୨୫),ଏସ୍‌.କେ ସର୍ବିର(୨୩) ଓ ସୟିଦ ସଫିକ୍‌ ଅଲ୍ଲୀ(୨୬)। ସେମାନଙ୍କ ବିରୋଧରେ ପୋଲିସ ୪୮୧/୧୯ ନମ୍ବରରେ ଏକ ମାମଲା ରୁଜୁ ଲଗାଇ କୋର୍ଟଚାଲାଣ କରିଛନ୍ତି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ୩ଜଣ ଅଭିଯକ୍ତଙ୍କ ଜଣେ ସହଯୋଗୀଙ୍କର ହାତ କଟିଯାଇଥିଲା। ସେମାନେ ତାଙ୍କୁ ଉକ୍ତ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ରାତିରେ କେହି ଡାକ୍ତର ନ ଥିବା ହସ୍ପିଟାଲର କର୍ମଚାରୀ କହି ଫେରାଇ ଦେଇଥିଲେ। କିନ୍ତୁ ଅଭିଯୁକ୍ତମାନେ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯକ୍ତଙ୍କୁ କାବୁ କରିଥିଲା। ପରେ ଏନେଇ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଥିଲା।