ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ମୁଁ ଉକ୍ତ ଘରୋଇ ହସ୍ପିଟାଲକୁ ପୁଅକୁ ନେଇଥିଲି। ହେଲେ ଚିକିତ୍ସା ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଲା। ମୋଠାରୁ ଚିକିତ୍ସା ବାବଦକୁ ୧ ଲକ୍ଷ ୭୦ହଜାର ଟଙ୍କା ନେଲେ, ହେଲେ ମୋ ପୁଅକୁ ମାରିଦେଲେ ବୋଲି ଶୁକ୍ରବାର ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର ଅଞ୍ଚଳର ପ୍ରବୀର ସ୍ବାଇଁ।
ଅଭିଯୋଗ ଅନୁଯାୟୀ, ପ୍ରବୀରଙ୍କ ପୁଅ ପ୍ରଦ୍ୟୁମ୍ନ(୨୭) ଗତ ମେ ୨୮ ତାରିଖରେ ବାଇକ୍‌ରେ ହାଜିପୁର ଯାଉଥିବାବେଳେ ସେଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ଚିକିତ୍ସା ପାଇଁ ପ୍ରଦ୍ୟୁମ୍ନଙ୍କୁ ପ୍ରବୀର ଏସ୍‌ସିବି ମେଡିକାଲ ଆଣିଥିଲେ। ସେଠାରେ ଆଇସିୟୁର ବ୍ୟବସ୍ଥା ନ ଥିବାରୁ ଏସ୍‌ସିବିର ଜଣେ ମହିଳା ଡାକ୍ତର ତାଙ୍କୁ ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନେଇଯିବାକୁ କହିଥିଲେ। ପରେ ମୁଁ ସେଠାକୁ ମୋ ପୁଅକୁ ନେଇ ଯାଇଥିଲି। ଉକ୍ତ ଡାକ୍ତର ସେଠାରେ ପହଞ୍ଚତ୍ ସେହିଦିନ ରାତିରେ ପ୍ରଦ୍ୟୁମ୍ନଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ। ଏଥିପାଇଁ ମୁଁ ମଧ୍ୟ ଟଙ୍କା ପଇଠ କରିଥିଲି। ହେଲେ ତା’ ପରଦିନ ଅର୍ଥାତ୍‌ ମେ ୨୯ ତାରିଖରେ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ମୋ ପୁଅ ସେଠାରେ ରହି ଚିକିତ୍ସିତ ହେଉଥିଲା। ହେଲେ ଶୁକ୍ରବାର ମୋ ପୁଅର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ତେବେ ମୋଟ୍‌ ଉପରେ ଚିକିତ୍ସା ବାବଦକୁ ମୁଁ ୧ ଲକ୍ଷ ୭୦ ହଜାର ଟଙ୍କା ପଇଠ କରିଥିଲି। କିନ୍ତୁ ଚିକିତ୍ସାରେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ଆଧାରରେ ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share