ଘରୋଇ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ହସ୍ପିଟାଲ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏପରି କି ମୃତ୍ୟୁ ପରେ ମଧ୍ୟ ମୃତଦେହ ଛଡ଼ାଯାଉନାହିଁ। ଟଙ୍କା ଡିପୋଜିଟ୍‌ ନ କଲେ ଦୀର୍ଘ ସମୟ ଧରି ମୃତଦେହ ଅଟକ ରଖାଯାଉଛି। ସରକାରଙ୍କଠାରୁ ଜମି ନେଇ ହସ୍ପିଟାଲ କରୁଥିବା ଘରୋଇ ସଂସ୍ଥା ଗୋଗୀମାନଙ୍କୁ ଲୁଟୁଛନ୍ତି। କୋର୍ଟ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଘରୋଇ ହସ୍ପିଟାଲଗୁଡିକ ବେଖାତିର କରୁଛନ୍ତି। ଏ ନେଇ ଶୁକ୍ରବାର ବିଧାନସଭାରେ ଭାଜପା ସଭ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାଚସ୍ପତି ଘରୋଇ ହସ୍ପିଟାଲଙ୍କ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଆଲୋଚନା କରି ପଦକ୍ଷେପ ନେବାକୁ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଭ୍ୟମାନେ ଶୂନ୍ୟକାଳରେ ନିଅଣ୍ଟିଆ ବର୍ଷା ଯୋଗୁ ବଲାଙ୍ଗୀର ସମେତ ରାଜ୍ୟର ୫ଟି ଜିଲାରେ ମରୁଡି ପରିସ୍ଥିତି ହୋଇଥିବା ପ୍ରସଙ୍ଗ ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଶ୍ରାବଣ ମାସରେ ଧାନ ବିଲ ଫାଟି ଆଁ କରିଛି । ରୁଆ ବେଉଷଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସରକାର ତୁରନ୍ତ ଗୃହ କମିଟି ପଠାଇ ଜିଲାର ପରିସ୍ଥିତି ଅନୁଧ୍ୟାନ କରନ୍ତୁ।
ଶୂନ୍ୟକାଳରେ ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ଆମ୍ରି ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ଓ ତାଙ୍କ ସମ୍ପର୍କୀୟଙ୍କଠାରୁ ଜବରଦସ୍ତ ଅର୍ଥ ଆଦାୟ କରୁଥିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡିକୁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ୨୫ ପ୍ରତିଶତ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ନାଁରେ ଜମି ନେଉଛନ୍ତି। ସେବା ଯୋଗାଇବା ବଦଳରେ ରୋଗୀଙ୍କୁ ଲୁଟ୍‌ କରାଯାଉଛି । ଗତ କିଛିଦିନ ତଳେ ଆପୋଲୋ ହସ୍ପିଟାଲରେ ପାଟକୁରାର ସୁନାକର ସାହୁଙ୍କୁ ଟଙ୍କା ଜମା ନ ଦେବାରୁ ତାଙ୍କ ପୁତ୍ରର ମୃତଦେହ ଛାଡି ନ ଥିଲେ। ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ମଧ୍ୟ କଳିଙ୍ଗ ହସ୍ପିଟାଲରେ ଦୁର୍ବ୍ୟବହାର କରାଗଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ରୋଗୀଙ୍କୁ ଆମ୍ରିରେ ୧ଲକ୍ଷ ୯୯ ହଜାର ଟଙ୍କା ଜମା ନ ଦେବାରୁ ଛାଡୁ ନାହାନ୍ତି। ଘରୋଇ ହସ୍ପିଟାଲଗୁଡିକ ଦାଦାଗିରି କରୁଛନ୍ତି। କୋର୍ଟ, କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ସେମାନେ ବେଖାତିର କରୁଛନ୍ତି। ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏହି ପ୍ରସଙ୍ଗରେ କହିଥିଲେ ଯେ, ସରକାର ମାହାଳିଆ ଜମି ଦେଉଛନ୍ତି। ଘରୋଇ ହସ୍ପିଟାଲ ୨୫ ପ୍ରତିଶତ ମାଗଣା ରୋଗୀସେବା ଦେବା କଥା। ମଲା ପରେ ମଧ୍ୟ ମୃତଦେହକୁ ସମ୍ମାନ ମିଳୁନାହିଁ। ଏହି ସମୟରେ ଭାଜପା ସଭ୍ୟମାନେ ଛିଡାହୋଇ ପାଟି କଲେ। ଏପରି କି ଗୃହର ମଧ୍ୟଭାଗକୁ ଆସି କ୍ଷୋଭପ୍ରକାଶ କଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ବୁଝାଶୁଝା କରି ଫେରାଇ ଦେଇଥିଲେ।

Share