Categories: ଜାତୀୟ

ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ

ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଛନ୍ତି। ଜଣେ ନିର୍ଯାତିତା ପତ୍ନୀ ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏତଲା ଦେଇପାରିବେ ବୋଲି କୋର୍ଟ କହିଛନ୍ତି। ମାମଲା ଅନୁଯାୟୀ ମହିଳା ଓ ତାଙ୍କ ଦିବଙ୍ଗତ ସ୍ବାମୀ ପୂର୍ବରୁ ହିନ୍ଦୁ ଯୌଥ ପରିବାରର ପୈତୃକ ସମ୍ପତ୍ତିରେ ଥିବା ଘରେ ରହୁଥିଲେ ଏବଂ ସ୍ବାମୀ ତାଙ୍କ ଭାଇଙ୍କ ସହ ମିଶି ଏକ ତେଜରାତି ଦୋକାନ ଚଳାଉଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଓ ତାଙ୍କ ପିଲାଙ୍କୁ ଉକ୍ତ ଘରେ ରହିବାକୁ ଅନୁମତି ଦିଆ ନ ଯିବାରୁ ସେ ଘରୋଇ ହିଂସା ଆଇନରେ ଏକ ମାମଲା ଦାଏର କରିଥିଲେ। ତଳ କୋର୍ଟ ମାମଲାର ଶୁଣାଣି କରି ବଧବା ମହିଳାଙ୍କୁ ମାସିକ ୪ ହଜାର ଓ ତାଙ୍କୁ ପିଲା ପାଇଁ ୨୦୦୦ ଟଙ୍କା ଭରଣପୋଷଣ ଦେବା ଲାଗି ସ୍ବାମୀଙ୍କ ଭାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଉକ୍ତ ରାୟକୁ କାଏମ ରଖିଥିଲେ। ଏହାକୁ ସ୍ବାମୀଙ୍କ ଭାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ହେମନ୍ତ ଗୁପ୍ତା ଘରୋଇ ହିଂସା ଆଇନର ଧାରା ୨(କ୍ୟୁ)କୁ ଅନୁଧ୍ୟାନ କରି ସ୍ବାମୀଙ୍କ ଭାଇଙ୍କୁ ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କହିଛନ୍ତି।

Share