ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ ନୁହେଁ, ଟିଭି ଅଭିନେତ୍ରୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ‘ଅଗ୍‌ଲେ ଜନମ୍‌ ମୋହେ ବିଟିୟା ହି କିଜୋ’, ‘ସ୍ବରାଗିଣି’ ଭଳି ଅନେକ ଶୋ’ ରେ ଅଭିନୟ କରିଥିବା ଟେଲିଭିଜନ୍‌ ଅଭିନେତ୍ରୀ ନୂପୁର୍‌ ଅଳଙ୍କାର ପିଏମ୍‌ସି ବ୍ୟାଙ୍କ୍‌ର ଜଣେ ଆକାଉଣ୍ଟଧାରୀ ଥିବାବେଳେ ସେ ମଧ୍ୟ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପ୍ରକାଶ କରିଛନ୍ତି। କିଛିବର୍ଷ ତଳେ ଅନ୍ୟ ବ୍ୟାଙ୍କରେ ରହିଥିବା ଜମା ଟଙ୍କାକୁ ସେ ପିଏମ୍‌ସି ବ୍ୟାଙ୍କ୍‌କୁ ଟ୍ରାନ୍ସଫର୍‌ କରିଥିଲେ। ଫଳରେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ପିଏମ୍‌ସି ବ୍ୟାଙ୍କର ମାନ୍ଦାବସ୍ଥା ଯୋଗୁ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଘରେ ଟଙ୍କା ନାହିଁ। ଫଳରେ ସେ ନିଜ ଗହଣା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ନୂପୁର କହିଛନ୍ତି। ଏପରକି ସେ ଘର ଖର୍ଚ୍ଚ ପାଇଁ ସାଙ୍ଗସାଥୀଙ୍କ ଠାରୁ ଏ ପର୍ଯ୍ୟନ୍ତ ୫୦ ହଜାର ଟଙ୍କା କରଜ ମଧ୍ୟ ନେଇଥିବା କହିଛନ୍ତି। ବ୍ୟାଙ୍କ୍‌ର ଏହି ପରିସ୍ଥିତି କେବେ ସୁଧୁରିବ ସେ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ନିଜ ଜମା ଟଙ୍କା ହରାଇବା ଆଶଙ୍କାରେ ରହିଛନ୍ତି ନୂପୁର୍‌। ଠିକ୍‌ ସମୟରେ ଆୟ କର ଦେଇ ମଧ୍ୟ ନିଜ କଷ୍ଟ ଅର୍ଜିତ ଧନ ସେ କାହିଁକି ପାଇପାରୁନାହାନ୍ତି। ଏପରିକି ତାଙ୍କ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ମଧ୍ୟ ଅଚଳ ହୋଇପଡ଼ିଛି ଏବଂ ପିଏମ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଥିବା ଯୋଗୁ ସେ ଋଣ ମଧ୍ୟ ପାଇପାରୁ ନ ଥିବା କହିଛନ୍ତି। ପ୍ରକାଶ ଯେ, ଗତ ସେପ୍ଟେମ୍ବରରୁ ଏହି ବ୍ୟାଙ୍କରେ ମାନ୍ଦାବସ୍ଥା ଚାଲିଛି।

Share