ଘର ଘର ବୁଲି ସଂଗ୍ରହ ହେବ ବର୍ଜ୍ୟବସ୍ତୁ : କୃଷିବିଜ୍ଞାନ କେନ୍ଦ୍ରରେ ପ୍ରକ୍ରିୟାକରଣ

ଭଦ୍ରକ ଅଫିସ, ୧୫।୬ – ଆଉ ଡଷ୍ଟବିନ୍‌ରେ କେହି ଅଳିଆ ପକାଇବେ ନାହିଁ। ଘର ଘର ବୁଲି ପୌରପାଳିକାର ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ। ପ୍ରତି ଘର ନିକଟରେ ହ୍ବିସିଲ ମାରି ସେମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ଦୁଇଟି ଡଷ୍ଟବିନ୍‌ରେ ସମସ୍ତ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ। ଏ ସମ୍ପର୍କରେ ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ସେହି ଅନୁଯାୟୀ ପୌରବାସୀ ପରିବା ଚୋପା, ଅଣ୍ଡା ଖୋଳପା, ବଳକା ଖାଦ୍ୟ ପରି ଓଦା ଓ ପ୍ଲାଷ୍ଟିକ, କାଚ ପରି ଶୁଖିଲା ବର୍ଜ୍ୟବସ୍ତୁକୁ ଭିନ୍ନ ଭିନ୍ନ ପାତ୍ରରେ ରଖି ସଫେଇ କର୍ମଚାରୀଙ୍କୁ ଦେବେ। ପରେ ସଂଗୃହୀତ ଓଦା ବର୍ଜ୍ୟରୁ କମ୍ପୋଷ୍ଟ ଓ ଶୁଖିଲା ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇ ରାଣୀତାଲସ୍ଥିତ କୃଷି ବିଜ୍ଞାନକେନ୍ଦ୍ରଠାରେ କମ୍ପୋଷ୍ଟ ତିଆରି କରାଯିବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଏ ନେଇ ଜିଲାପାଳ ଜ୍ଞାନରଞ୍ଜନ ଦାସ ରାଣୀତାଲ କୃଷି ବିଜ୍ଞାନକେନ୍ଦ୍ରରେ କିଭଳି କମ୍ପୋଷ୍ଟ ତିଆରି କରାଯାଉଛି ତାହା ବୁଲି ଦେଖିଥିଲେ। ପରୀକ୍ଷାମୂଳକ ଭାବେ ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସେଠାରେ ପ୍ରକ୍ରିୟାକରଣ କରାଯାଇ ଜୈବସାର ପ୍ରସ୍ତୁତ କରାଯିବ। ଏ ସମ୍ପର୍କରେ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ କରାଯାଇ କୃଷି ବିଜ୍ଞାନକେନ୍ଦ୍ରର ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ସରିଛି। ଏହା କାର୍ଯ୍ୟକାରୀ କରାଗଲେ ସହରର ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ କାମରେ ଲଗାଯାଇପାରିବ ବୋଲି ସୂଚନା ଦିଆଯାଇଛି।