ଘର ଛାଡ଼ିଲେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ : ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ମୁତୟନ

ଭଦ୍ରକ ଅଫିସ, ୧୯।୫- ସମ୍ଭାବ୍ୟ ବାତ୍ୟା ଅମ୍ଫନ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ଜିଲାରେ ମୋଟ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ସମୁଦ୍ରକୂଳିଆ ଅଞ୍ଚଳ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ୭୨ଟି ଗାଁକୁ ହାଇଆଲର୍ଟ ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଧାମରା ଅଞ୍ଚଳର ପ୍ରାୟ ୨ହଜାର ମହିଳା ଓ ପୁରୁଷ ଘର ଛାଡ଼ି ବାତ୍ୟାଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି। ୧୦୪ଟି ବାତ୍ୟାଶ୍ରୟସ୍ଥଳୀ ମଧ୍ୟରୁ ୩୦ଟି ବାତ୍ୟାଶ୍ରୟସ୍ଥଳୀକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ଅନ୍ୟ ୭୪ଟି ବାଦ୍‌ ପଡ଼ିଥିବା ବାତ୍ୟାଶ୍ରୟସ୍ଥଳୀ ଓ ୫୫୮ଟି ସ୍କୁଲ ଗୃହକୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ଭାବେ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଝିପିଝିପି ବର୍ଷା ଓ କୋହଲା ପବନ ଆରମ୍ଭ ହୋଇଛି। ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପ୍ରାୟ ୩ଶହ ଜଣ ଗର୍ଭବତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯିବ ବୋଲି ଚିହ୍ନଟ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ୯୨ଟି ପାଣି ଟାଙ୍କି, ୫୦ଟି ଜେସିବି ମେସିନ, ୩ଶହ ଜଣ ଇଲେକ୍ଟ୍ରିସିଆନ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନ ସୂଚନା ଦେଇଛି। ୨୦୧୯ ‘ଫନୀ’ ବାତ୍ୟା ମୁକାବିଲାରେ ପ୍ରଶାସନ ସଫଳତା ହାସଲ କରିଥିବାରୁ ଚଳିତ ବାତ୍ୟା ଅମ୍ଫନ୍‌କୁ ମଧ୍ୟ ସଫଳତାର ସହ ମୁକାବିଲା କରିପାରିବ ବୋଲି ଜିଲା ପ୍ରଶାସନ ଆଶା ରଖିଛି। କରୋନା ମହାମାରୀ ଆତଙ୍କ ଥମି ନ ଥିବା ବେଳେ ଏବେ ଅମ୍ଫନ୍‌ର କମ୍ପନକୁ ନେଇ ସମୁଦ୍ରକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।