ଘର ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କିକୋଟ,୬।୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟିସ୍ଥିତ ଖୁର୍ସିଦ୍‌ ମହମ୍ମଦଙ୍କ ଘରୁ ବୁଧବାର ରାତିରେ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା ଚୋରି ହୋଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଖୁର୍ସିଦ୍‌ ଦୀର୍ଘ ୨୦ ବର୍ଷ ଧରି ଲଙ୍ଗଳକଣ୍ଟିରେ ଘରଭଡ଼ା ନେଇ ରହି ଆସୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ଯୋଗୁ ସେ ସପରିବାର କଟକସ୍ଥିତ ନିଜ ଘରକୁ ଯାଇଥିଲେ। ଦୀର୍ଘ ୧୫ ଦିନ ପରେ ଲଙ୍ଗଳକଣ୍ଟିକୁ ଫେରିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆସବାବପତ୍ର ଏତେତେଣେ ଫିଙ୍ଗା ଯାଇଥିବା ବେଳେ ଗଡ୍‌ରେଜ୍‌ରେ ଥିବା ନଗଦ ଟଙ୍କା ଏବଂ ସୁନାଗହଣା କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଥିଲା। ଏନେଇ ବୁଧବାର ରାତିରେ ଢେଙ୍କିକୋଟ ଫାଣ୍ଡିରେ ଖୁର୍ସିଦଙ୍କ ଦୁଇପୁଅ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା, କନଷ୍ଟେବଳ ସୁଶୀଲ ମହାନ୍ତି, ମାନସ ରଞ୍ଜନ ରାଉତ, ମୁନା ମହାନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚୋରି ସୁନାଗହଣା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।