ଘର ତିଆରି ବିଲ୍‌ ପାଇଁ ଲାଞ୍ଚ ଘଟଣା:କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ସୁପାରିସ

କାମାକ୍ଷାନଗର, ୨।୧୧(ଡି.ଏନ.ଏ.)

ଲାଞ୍ଚ କାରବାର ସମ୍ପର୍କିତ ମୋବାଇଲ ରେକର୍ଡିଂ ବାର୍ତ୍ତାଳାପ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁଶାନ୍ତି ସେଠୀ। ଲାଞ୍ଚ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଥିବାବେଳେ ଏ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବିଡିଓ ବିକାଶ କୁମାର ମହାନ୍ତିଙ୍କ ହାତରେ ଲାଗିଛି। ଏହା ପରେ ପିଇଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ପିଡି ଡିଆର୍‌ଡିଏଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ଅନ୍ୟପଟେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଶୁକ୍ରବାର ପିଇଓ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚତ୍ଥିଲେ। ଏଥିସହ ନିଜର ଦୋଷ ଲୁଚାଇବାକୁ ପଛୁଆ ତାରିଖ (୧୫ା୫ା୨୦୧୯)ରେ କାର୍ଯ୍ୟାଦେଶ (ନଂ.୯୬୮) ପ୍ରଦାନ କରିଥିଲେ। ନିଜର ଭୁଲ ସ୍ବୀକାର କରିବା ସହ ଗୃହ ନିର୍ମାଣ ସମ୍ପର୍କିତ ତୃତୀୟ କିସ୍ତି ବାବଦକୁ ୪୦ ହଜାର ଟଙ୍କା ତୁରନ୍ତ ବିଲ୍‌ ପୈଠ ପାଇଁ ଫଟୋ ଉଠାଇଥିଲେ। ଏହାକୁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବିଡିଓଙ୍କ ନିକଟକୁ ପଠାଇଥିଲେ। ଏ ନେଇ ବିଡିଓ କୁହନ୍ତି, ଘଟଣାର ତଦନ୍ତ କରାଯାଇଛି। ପିଇଓ ନିଜକୁ ବଞ୍ଚାଇବାକୁ ଯାଇ ମିଛ କହୁଛନ୍ତି। ଲାଞ୍ଚ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ବଳିଷ୍ଠ ପ୍ରମାଣ ମିଳିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଅଭିଯୋଗ ଅନୁଯାୟୀ, ସୋଗରପାଟଣା ସାହିର ଦିବ୍ୟାଙ୍ଗ ହିମାଂଶୁ ସ୍ବାଇଁଙ୍କ ସ୍ତ୍ରୀ ରଶ୍ମିତାଙ୍କ ଆବାସ ଯୋଜନା ଗୃହ ନିର୍ମାଣ ସମ୍ପର୍କିତ ଶେଷ କିସ୍ତି ବିଲ୍‌ ପାଇଁ ପିଇଓ ଟଙ୍କା ଦାବି କରିଥିଲେ। ଏଥିସହ ପୂର୍ବରୁ ୩ ହଜାର ଟଙ୍କା ମଧ୍ୟ ନେଇଥିଲେ। ଏପରି କି ହିତାଧିକାରୀ ୨ କିସ୍ତିରେ ୫୦ ହଜାର ଟଙ୍କା ସରକାରଙ୍କଠାରୁ ପାଇସାରିଥିବାବେଳେ ଏଯାଏ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ପିଇଓ ଏବଂ ହିତାଧିକାରୀଙ୍କ ମଧ୍ୟରେ ହୋଇଥିବା ଏ ସମ୍ପର୍କିତ ସମସ୍ତ କଥାବାର୍ତ୍ତା ମୋବାଇଲ ଫୋନ୍‌ରେ ରେକର୍ଡିଂ ହୋଇଛି, ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ରଶ୍ମିତା ବିଡିଓଙ୍କୁ ଶୁଣାଇଥିଲେ।

Share