Categories: ଅନୁଗୋଳ

ଘର ନିର୍ମାଣ ୮ ବର୍ଷ ବିତିଲା, ମିଳୁନି ବକେୟା ଟଙ୍କା:ଜିଲାପାଳଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ବଇଣ୍ଡା,୨୩।୬(ଡି.ଏନ.ଏ)-ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ଗରିବ ଶ୍ରେଣୀର ଲୋକଙ୍କୁ ଠିକ୍‌ ସମୟରେ ଅର୍ଥ ମିଳୁ ନ ଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଠାକୁରଗଡ଼ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ପ୍ରମୋଦ ରଣା ଇନ୍ଦିରା ଆବାସ ଯୋଜନାରେ ୨୦୧୧ରେ ଘର ନିର୍ମାଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ବକେୟା ୨୫ ହଜାର ଟଙ୍କା ମିଳିନାହିଁ। ଏ ନେଇ ସେ ଶନିବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଜଣାଇଛନ୍ତି।
ତାଙ୍କ ଅଭିଯୋଗପତ୍ରରେ ଦର୍ଶାଯାଇଛି, ୨୦୧୦-୧୧ ଆର୍ଥିକ ବର୍ଷ ଆଠମଲ୍ଲିକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୬।୭।୨୦୧୦ ଆଦେଶ ସଂଖ୍ୟା୨୧୨୩ ମାଧ୍ୟମରେ ପ୍ରମୋଦଙ୍କୁ ଏକ ଇନ୍ଦିରା ଆବାସ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରମୋଦ ତାଙ୍କ ଠାକୁରଗଡ଼ ମୌଜା ଖାତା ନଂ. ୧୧୫ ପ୍ଲଟ ନଂ. ୬୫୬ରେ ଏକ ଘର ନିର୍ମାଣ କରି ୩୦।୭।୨୦୧୧ ସୁଦ୍ଧା ଘର କାର୍ଯ୍ୟ ଶେଷ କରିଥିଲେ। ଘର ନିର୍ମାଣ ପାଇଁ ୪୫ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ତାଙ୍କୁ ମାତ୍ର ୨୦ ହଜାର ଟଙ୍କା ମିଳିଛି। ବଳକା ୨୫ ହଜାର ଟଙ୍କା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏ ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟଠାରେ ଆବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଘର ତିଆରି ପାଇଁ ଆଣିଥିବା ଋଣକୁ ସୁଜି ପାରୁନାହାନ୍ତି। ତୁରନ୍ତ ତାଙ୍କୁ ତାଙ୍କ ବଳକା ଅର୍ଥ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ୨୦୧୦ର କାର୍ଯ୍ୟାଦେଶ ହୋଇଥିବା ଯୋଗୁ ପ୍ରମୋଦଙ୍କ ବଳକା ଟଙ୍କା ଗୁଡ଼ିକ ଫେରିଯାଇଛି। ଅଭିଯୋଗ କଲେ ତୁରନ୍ତ ସେ ଅର୍ଥ ମଞ୍ଜୁର ପାଇଁ ସରକାରଙ୍କୁ ଚିଠି କରିବୁ।