ଘର ବାହୁଡା ଶ୍ରମିକଙ୍କୁ ଦେବାକୁ ପଡିବନି ଭଡା, ମିଳିବ ଏକ ହଜାର ଟଙ୍କା

ପାଟନା,୪।୫: ଲକ୍‌ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଭଡାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ନୀତୀଶ କହିଛନ୍ତି ବିହାର ଫେରୁଥିବା ଶ୍ରମିକମାନଙ୍କୁ କୌଣସି ଭଡା ଦେବାକୁ ପଡିବ ନାହିଁ। ଏହାସହ ଘର ବାହୁଡା ଶ୍ରମିକଙ୍କ ପାଇଁ ରାଜ୍ୟରେ କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ସେମାନେ ୨୧ ଦିନ ରହିବା ମଧ୍ୟରେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ନୀତୀଶ କହିଛନ୍ତି। ତେବେ ପ୍ରବସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କେନ୍ଦ୍ର ସରକାର କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ ଓ ମଧ୍ୟ ପ୍ରଦେଶ ସରକାର ମଧ୍ୟ ଘର ବାହୁଡା ଶ୍ରମିକଙ୍କୁ ରେଳ ଭଡା ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି।

Share