ଘର ଭାଙ୍ଗିଲା, ଫସଲ ଉଜୁଡ଼ିଲା

ପାଟଣା,୨୬।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଠାରେ ୪୮. ୫ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଏଥିରେ ଅନେକ କଚ୍ଚା ଘର ଭାଙ୍ଗି ପଡିଛି। ପାଚିଲା ଧାନ ଚାଷ ଉଜୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଶୁକ୍ରବାର ପୂର୍ବାହ୍ନ ଓ ଗୁରୁବାର ରାତ୍ରିରେ ପ୍ରବଳ ବର୍ଷା ହେବା ବେଳେ ୩ଜଣଙ୍କ ଘର ଭାଙ୍ଗି ପଡିଥିବା ଜଣାପଡିଛି। ରାଜନଗର ରାଜସ୍ବ ନିରୀକ୍ଷକଙ୍କ ଅଧୀନ ରାଜନଗର ମଝି ସାହିର ରଣଜିତ ଜେନାଙ୍କ ନଡାଛପର ଘର ଶୁକ୍ରବାର ପୂର୍ବାହ୍ନରେ ବର୍ଷାମାଡରେ ଭାଙ୍ଗିପଡିଥିଲା। ପରିବାର ଲୋକେ ବାହାରକୁ ଚାଲି ଆସି ଜୀବନ ରକ୍ଷା କରିିଥିଲେ। ସେହିପରି ରାଜନଗର ଶାସନ ସାହିର ସର ରାଉତଙ୍କ ଖପର ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ଦେଉଳିଆ ସାହିର ନିହାର ରଞ୍ଜନ ସିଂଙ୍କ ଗୁହାଳ ଘର ଭାଙ୍ଗି ଯାଇଛି। ରାଜନଗର ରାଜସ୍ବ ନିରୀକ୍ଷକ ଭବାନୀଶଙ୍କର ରାଉତରାୟ କ୍ଷୟକ୍ଷତି ଆକଳନ କରି ପାଟଣା ତହସିଲଦାରଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି।