ଘର ଭାଙ୍ଗି ଧାନ ଖାଇଲା ହାତୀ

ଅମରପାଲି, ୨୫।୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଜାଲୋଏ ସେକ୍ସନ୍‌ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତର ରିଝାଇପାଲି ଗ୍ରାମରେ ହାତୀ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଏକ ଦନ୍ତା ହାତୀ ଗାଁରେ ପଶିଥିଲା । ଗ୍ରାମର ମହିନ୍ଦ୍ର ପଧାନ ଓ ପ୍ରଫୁଲ୍ଲ ଡୁଙ୍ଗଡୁଙ୍ଗଙ୍କ ଘର କାନ୍ଥ ଓ ଛପର ଭାଙ୍ଗିଥିଲ। ସେହି ସମୟରେ ଉଭୟେ ତାଙ୍କ ପରିବାର ସହିତ ଘରେ ଶୋଇଥିଲେ। ଶଦ୍ଦ ଶୁଣି ଉଠିଲା ବେଳକୁ ହାତୀ ଘର ବାହାରେ ଥିବା ଦେଖି ଜୀବନ ବିକଳରେ ସମସ୍ତେ ଦୌଡି ପଳାଇଥିଲେ। ଏହି ସମୟରେ ହାତୀ ଘରେ ଥିବା ଧାନ, ଚାଉଳ ଖାଇବା ସହ ରୋଷେଇ ସାରଞ୍ଜାମ ସହ ଗୃହ ଉପକରଣ ଆଦି ଭାଙ୍ଗିଥିଲା । ଗ୍ରାମବାସୀ ହାତୀକୁ ଘଉଡାଇବାର ସମସ୍ତ ଚେଷ୍ଟା କରି ବିଫଳ ହୋଇଥିଲେ। ରାତି ପ୍ରାୟ ୪ଟା ବେଳକୁ ହାତୀ ଗଁା ଛାଡି ପଳାଇଥିଲା। ଗ୍ରାମବାସୀ ଏବେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖବରପାଇ ବନ ବିଭାଗ ଶନିବାର ଘଟଣାସ୍ଥଳକୁ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି। ସୂଚନାମତେ ଦୀର୍ଘଦିନ ହେଲା ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ଏକ ଦନ୍ତା ଆସି ଗାଁ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛି । ଏ ନେଇ ସୁବଳୟା ରେଞ୍ଜ ଅଧିକାରୀ ଶିବ ପ୍ରସାଦ ନାଏକଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ବନ ବିଭାଗ କର୍ମଚାରୀ କ୍ଷୟକ୍ଷତିର ଆକଳନ କରଛନ୍ତି। ଖୁବଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ।