ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶୁକ୍ରବାର ପବିତ୍ର ଜାଗର ଲାଗି ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଇନ୍‌ଫୋସିଟି ଥାନା ଅଧୀନ ସିପେଟ୍‌ ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ଚିନ୍ମୟ କୁମାର ସ୍ବାଇଁ (୩୧)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେମାନଙ୍କୁ ନ ଜଣାଇ ବ୍ୟବଚ୍ଛେଦ କରାଯିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ପରିବାର ଲୋକେ ହୋହଲ୍ଲା କରିଥିଲେ। ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଚିନ୍ମୟ ରାଜଧାନୀର ଏକ କନ୍‌ଷ୍ଟ୍ରକ୍‌ଶନ୍‌ କମ୍ପାନୀରେ କାମ କରୁଥିଲେ। ସିପେଟ ନିକଟରେ ଥିବା ଏକ ଘରେ ସେ ଅନ୍ୟ ଜଣେ ଯୁବକଙ୍କ ସହ ଏକାଠି ରହୁଥିଲେ। ଶୁକ୍ରବାର ଚିନ୍ମୟ ଓ ତାଙ୍କ ସାଙ୍ଗ ଉକ୍ତ ଘରେ କବାଟ ଭିତରୁ ବନ୍ଦ କରି ଶୋଇଥିଲେ। ତେବେ ବେକରେ ତାର ବନ୍ଧା ଅବସ୍ଥାରେ ଚିନ୍ମୟ ଝୁଲୁଥିବା ଦେଖିବାକୁ ମିଳିଥିଲା। ଚିନ୍ମୟଙ୍କ ସାଙ୍ଗ ଶୋଇଥିବାବେଳେ ବାହାରପଟୁ ଅନ୍ୟ ଜଣେ ବ୍ୟକ୍ତି ଝରକାରେ ଏହା ଦେଖି କବାଟ ବାଡ଼େଇଥିଲେ। ହେଲେ ଚିନ୍ମୟଙ୍କ ସାଙ୍ଗ ଉଠି ନ ଥିଲେ। ଶେଷରେ କବାଟ ଭଙ୍ଗାଯାଇ ଚିନ୍ମୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚିନ୍ମୟଙ୍କ ସାଙ୍ଗଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି। ଜଣେ ବ୍ୟକ୍ତି ଶୋଇଥିବାବେଳେ ଅନ୍ୟ ଜଣେ କିପରି ଆତ୍ମହତ୍ୟା କଲେ ଅଥଚ ସେ ଜାଣି ପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଏ ନେଇ ପୋଲିସ ଚିନ୍ମୟଙ୍କ ସେହି ସାଙ୍ଗଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ସମ୍ପୃକ୍ତ ସାଙ୍ଗ କହିଛନ୍ତି ଯେ, ଉଭୟ ଭାଙ୍ଗପଣା ପିଇ ଶୋଇଥିଲୁ। ମୋତେ ନିଦ ହୋଇଯାଇଥିବାରୁ କ’ଣ ହୋଇଛି ମୁଁ ଜାଣିନାହିଁ। ମୋତେ ଅନ୍ୟ ଜଣେ ପାଣି ପକାଇ ଉଠାଇବା ପରେ ଚିନ୍ମୟ ବେକରେ ତାର ଲଗାଇ ଝୁଲୁଥିବା ଦେଖିବାକୁ ପାଇଲି। କ’ଣ ପାଇଁ ସେ ଏଭଳି କରିଛନ୍ତି ମୁଁ କିଛି ଜାଣିନାହିଁ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ।

Share