ଘଷିର ହୋମ୍‌ ଡେଲିଭରି

ଭୋପାଳ: ସାରା ଦେଶରେ ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ ସେବାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଗୋବରରୁ ତିଆରି ହେଉଥିବା ଘଷି ଏବେ ହୋମ୍‌ ଡେଲିଭରି ହେଉଛି। ଏମିତିକି ୧୦ ଟଙ୍କାରେ ମିଳୁଥିବା ଘଷିକୁ ଏବେ ଲୋକେ ୩୦ ଟଙ୍କାରେ କିଣୁଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଉଜ୍ଜୈନ ସହରରେ ଲୋକଙ୍କ ଏକ ଅତି ପ୍ରିୟ ଖାଦ୍ୟ ହେଉଛି ଡାଲ୍‌-ବାଟି ଏବଂ ଡାଲ୍‌ ବାଫ୍‌ଲେ। ବିଭିନ୍ନ ଉତ୍ସବ ସମୟରେ ଏହି ଖାଦ୍ୟ ନିହାତି ଆବଶ୍ୟକ ହୋଇଥାଏ। ତେବେ ଘଷି ନିଆଁରେ ତିଆରି ହେଲେ ଏହାର ସ୍ବାଦ ବହୁତ ଭଲ ହୋଇଥାଏ। ତେଣୁ ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ଏହି ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ଘଷି ଆବଶ୍ୟକ କରୁଛନ୍ତି। ସହରର ଜୟସିଂହପୁରା ଓ ଭୈରବଗଡ଼ରେ ଗ୍ରାମାଞ୍ଚଳର ଲୋକେ ଏହି ଘଷି ବ୍ୟବସାୟ କରିଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ କଟକଣା ଲାଗୁ ହେବା କାରଣରୁ ଲୋକେ ବାହାରକୁ ଯାଇପାରୁ ନାହାନ୍ତି କି ଘଷି କିଣିପାରୁ ନାହାନ୍ତି। ତେଣୁ ଲୋକଙ୍କୁ ଫୋନ୍‌ କରି ଘରେ ଘଷି ପହଞ୍ଚାଇବା ନିମନ୍ତେ ଅର୍ଡର ଦିଆଯାଉଛିି। ତେଣୁ ଘଷି ବ୍ୟବସାୟୀମାନେ ସେମାନଙ୍କ ଠେଲାରେ ଘଷି ନେଇ ଲୋକଙ୍କୁ ଘରେ ଘରେ ଦେଉଛନ୍ତି। ରୋଷେଇ ନିମନ୍ତେ ଏହା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ କେହି ସେମାନଙ୍କୁ ଅଟକାଉ ନାହାନ୍ତି। ତେଣୁ ଏହି ଲକ୍‌ଡାଉନ୍‌ ସମୟରେ ସେମାନଙ୍କ ବ୍ୟବସାୟ ବେଶ୍‌ ଭଲ ଚାଲିଛି।

Share