ଘସିପୁରା ଥାନା ମହିଳା ଏସ୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୫।୧(ଡି.ଏନ.ଏ): କେନ୍ଦୁଝର ଜିଲା ଘସିପୁରା ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ପଦନପୁର ଗ୍ରାମରେ ଆକ୍ରମଣ ହୋଇଛି। ଗୁରୁବାର ସନ୍ଧ୍ୟାରେ ପଦନପୁର ଗ୍ରାମକୁ ଏକ ପାରିବାରିକ ବିବାଦ ମାମଲାର ଅନୁସନ୍ଧାନ ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର କମଳଲୋଚନ ରାଉତଙ୍କ ପୁଅ ପଦ୍ମଲୋଚନ ଯାଜପୁର ଜିଲା ସୁକିନ୍ତା ଗ୍ରାମର ବିଳାଶ ବେଉରାଙ୍କ ଝିଅ ପଦ୍ମିନୀକୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଘସିପୁରା ଥାନାରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏସଆଇ ଅନୁସୟା ସେଠୀ ପୋଲିସ ବାହିନୀ ସହ ଗାଁରେ ପହଞ୍ଚିଥିଲେ। ତେବେ ଦୁଇ ପରିବାର ସଦସ୍ୟଙ୍କ ସହ ଆଲୋଚନା ଚାଲିଥିବା ବେଳେ ହଠାତ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଏସଆଇ ସେଠୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଚିକତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଘସିପୁରା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ପଣ୍ଡା କହିଛନ୍ତି।

Share