ଘସିପୁରା ବ୍ଲକରେ ଆବାସ ଘୋଟାଲା ପ୍ରସଙ୍ଗ : ଦୁଇ ପିଇଓ ନିଲମ୍ବିତ

ଘସିପୁରା,୧୩।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଘସିପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୨ ପିଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କୁ ନିଲମ୍ବନ କରାଯାଇଛି। ଏହି ବ୍ଲକରେ ଆବାସ ଯୋଜନାରେ କିଛି ଘୋଟାଲାର ତଦନ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ତେବେ କିଛି ଅଭିଯୋଗର ତଦନ୍ତ ପରେ ଜିଲାପାଳ କାର୍ଯ୍ୟରେ ଅବହେଳା କରିଥିବା ଦୁଇ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଅଳତୀ ଓ ଗଡ଼ବାନ୍ଦୋଗଡ଼ା ପଞ୍ଚାୟତ ଦାୟିତ୍ୱରେ ଥିବା ବୀରବର ନାୟକ ଏବଂ ଗୋହିରା, ବୀରଗୋବିନ୍ଦପୁର ଦାୟିତ୍ୱରେ ଥିବା ରତିକାନ୍ତ ମହାନ୍ତ। ନିର୍ଦ୍ଦିିଷ୍ଟ ସମୟସୀମାରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେବା ଓ କିଛି ଅନିୟମିତତା ଆଧାରରେ ଏହି ଦୁଇ ପିଇଓଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପିସିସି ସଭାପତି ତଥା ଘସିପୁରା ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଗତ ମାସରେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ।

Share