ଘାରିଛି ହେଲ୍‌ମେଟ୍‌ ଭୟ: ବଢ଼ିଛି ବ୍ୟବସାୟ

କଟକ ଅଫିସ,୧୦।୯: ନିଦ ହଜାଇ ସାରିଲାଣି ମୋଟର ଯାନ ଆଇନ-୨୦୧୯। ନିୟମ ଉଲ୍ଲଂଘନ କରି ଯାତାୟତ କରୁଥିବା ବାଇକ ଚାଳକମାନେ ଏବେ ଟ୍ରାଫିକ ପୋଲିସକୁ ଦେଖି ବାଟ ବଦଳାଇ ଦେଉଛନ୍ତି। ବିନା ହେଲମେଟରେ ଗାଡ଼ି ଚଳାଇବାକୁ ଡରୁଛନ୍ତି। ଏହି ପରିପ୍ରେକ୍ଷୀରେ ହେଲ୍‌ମେଟ୍‌ ବ୍ୟବସାୟ ସହରରେ ଅହେତୁକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ଏକବର୍ଷରେ ଯେତିକି ହେଲ୍‌ମେଟ୍‌ ବିକ୍ରି ହୋଇ ନ ଥିଲା ଗତ ଏକ ସପ୍ତାହ ମଧ୍ୟରେ ତା’ ଠାରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ସେପ୍ଟେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡ଼ାକଡି ଭାବେ ପାଳନ କରାଯାଉଛି। ନିୟମ ଉଲ୍ଲଂଘନ କଲେ ଜରିମାନା ଆକାରରେ ନିଆଯାଉଛି ମୋଟା ଅଙ୍କର ଟଙ୍କା। ଜରିମାନା ରାଶି ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ହେଲମେଟ ନ ପିନ୍ଧିଲେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ହେଲମେଟ ନ ପିନ୍ଧିବା ବାବଦକୁ ଇତିମଧ୍ୟରେ ପ୍ରାୟ ୮୦୦ ଲୋକ ଜରିମାନା ଦେଇ ସାରିଲେଣି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପ୍ରତି ଛକରେ ଏବେ ହେଲ୍‌ମେଟ୍‌ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ଚାହିଦା ଏତେ ବଢ଼ିଛି ଯେ ହେଲ୍‌ମେଟ୍‌ ଯୋଗାଇବାରେ ଅକ୍ଷମତା ପ୍ରକାଶ କରୁଛନ୍ତି ବ୍ୟବସାୟୀ। ହାଇଦ୍ରାବାଦରୁ ହେଲ୍‌ମେଟ୍‌ ଆସୁଛି। ଯାହାର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ କରି ୧୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଦିଲ୍ଲୀରୁ ଆସୁଥିବା ହେଲ୍‌ମେଟ୍‌ଗୁଡ଼ିକର ମୂଲ୍ୟ ୭୦୦ଟଙ୍କାରୁ ଆରମ୍ଭ। ଅନ୍ୟପକ୍ଷରେ ହେଲ୍‌ମେଟ୍‌କୁ ନେଇ କଳାବଜାରି ହେଉଥିବା ଅଭିଯୋଗ ମଧ୍ୟ ଉଠିଲାଣି।