Categories: ଖେଳ

ଘୁଞ୍ଚିଲା ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ

ନୂଆଦିଲ୍ଲୀ,୨ା୩- ଚାଇନାରୁ ସୃଷ୍ଟ କରୋନା ଭାଇରସ ଯୋଗୁ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ବାତିଲ କିମ୍ବା ସ୍ଥାନାନ୍ତର ହୋଇସାରିଛି। ସଦ୍ୟ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ଭାବେ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ପ୍ରଭାବିତ ହୋଇଛି। ସମ୍ମାନଜନକ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲରେ ଖେଳାଯିବାର ଥିଲା। ମାତ୍ର ଏହାକୁ ସୋମବାର ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହି ଇଭେଣ୍ଟର ୨୯ତମ ସଂସ୍କରଣ ମାଲେସିଆର ଇପୋଟଠାରେ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ବର୍ତ୍ତମାନ ଏହି ଇଭେଣ୍ଟ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଖେଳାଳି ଓ ଅଫିସିଆଲଙ୍କ ସ୍ବାର୍ଥକୁ ଦୃଷ୍ଟି ରଖି ଆଜଲାନ ଶାହ କପ୍‌ ପୁରୁଷ ହକି ଟୁର୍ନାମେଣ୍ଟର ୨୯ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌), ଏସିଆ ହକି ଫେଡେରେଶନ(ଏଏଚ୍‌ଏଫ୍‌), ମାଲେସିଆ ହକି କନ୍‌ଫେଡେରେଶନ (ଏମ୍‌ଏଚ୍‌ସି) ଓ ଅଂଶଗ୍ରହଣକାରୀ ଦଳଗୁଡ଼ିକ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜକ କମିଟି ମୁଖ୍ୟ ଡାଟୋ ହାଜି ରହିମ ବିନ୍‌ ମହମ୍ମଦ କହିଛନ୍ତି। ଇଭେଣ୍ଟ ତାରିଖରେ ପରିବର୍ତ୍ତନ ନେଇ ଆୟୋଜକ କମିଟି କ୍ଷମାପ୍ରାର୍ଥନା କରିଛି। ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଆଜଲାନ ଶାହ ହକି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ, କାନାଡା, ଜାପାନର, ଆୟୋଜକ ମାଲେସିଆ, ପାକିସ୍ତାନ ଓ ଦକ୍ଷିଣ କୋରିଆ ଅଂଶଗ୍ରହଣ କରନ୍ତି। ଅଷ୍ଟ୍ରେଲିଆ ସର୍ବାଧିକ ୧୦ଥର ଚାମ୍ପିୟନ ହୋଇଥିବାବେଳେ ଭାରତ ୪ ଥର ଚାମ୍ପିୟନ ହୋଇଛି।

Share