ଘୁଞ୍ଚିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ୱର,୨୦।୩(ବ୍ୟୁରୋ):ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷା (ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ) ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୨୦ତାରିଖ ପର୍ଯ୍ୟନ୍ତ ରହିଥିବାବେଳେ ଏବେ ତାହାକୁ ୨୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଛାତ୍ରୀଛାତ୍ରମାନେ ୨୭ ମାର୍ଚ୍ଚ ମଧ୍ୟରେ ଅନ୍‌ଲାଇନରେ ଆବେଦନ ଏବଂ ମାର୍ଚ୍ଚ ୩୧ ମଧ୍ୟରେ ଅନ୍‌ଲାଇନରେ ଫି ଦାଖଲ କରିପାରିବେ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀମାନେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ କଲେଜର ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌. ଟେକ୍‌ ପାର୍ଟଟାଇମ୍‌, ଏମ୍‌. ଆର୍କିଟେକ୍‌, ଏମ୍‌. ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌/ବି.ଫାର୍ମାରେ ନାମ ଲେଖାଇବା ଲାଗି ଓଜେଇଇ ହେବ। ଏହି ପରୀକ୍ଷାକୁ କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ଫର୍ମାଟରେ କରାଯିବ। ଅଧିକ ବିବରଣୀ ପାଇଁ ଛାତ୍ରୀଛାତ୍ରମାନେ www.ojee.nic.in/www.odishajee.com ଓ୍ବେବ୍‌ସାଇଟ୍‌ ଦେଖିବାକୁ ଗୁରୁବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Share