ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍‌ ୨୦ ଅର୍ଥାତ୍‌ ଗୁରୁବାର ପର୍ଯ୍ୟନ୍ତ ରହିଥିବା ବେଳେ ଏବେ ୨୫ତାରିଖକୁ ବୃଦ୍ଧି କରାଯାଇଛି। ଏହାସହିତ ଅଫ୍‌ଲାଇନ୍‌ ଆବେଦନ ଅବଧି ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
ଯୁକ୍ତ୨ରେ ନାମ ଲେଖାଇବା ପାଇଁ ୬ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆବେଦନର ଶେଷ ତାରିଖ ଜୁନ୍‌ ୨୦ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରୀଛାତ୍ର ୨୫ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ୨୬ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ(ଏସ୍‌ଏଏମ୍‌ଏସ୍‌) ରିସୋର୍ସ ସେଣ୍ଟରରେ ଦାଖଲ କରିପାରିବେ। ଜୁଲାଇ ୨ ଅପରାହ୍ନ ୨ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ। ଏହାପରେ ୩ରୁ ୬ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୨ରୁ ୧୬ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ୧୭ତାରିଖ ଅପରାହ୍ନ ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ବାହାରିବ। ୨୦ରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ୨୪ରୁ ୨୬ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଗୁରୁବାର ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Share