ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର ବଡ଼ଗଡ଼ ସରକାରୀ ଡ଼ାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଡ଼ାକ୍ତରଖାନାରେ ନିରାମୟ ଯୋଜନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ତଦାରଖ କରିଥିଲେ। ଜନସାଧାରଣଙ୍କ ଅଭିଯୋଗକ୍ରମେ ଡ଼ାକ୍ତରଖାନା ପରିସରରେ ଥିବା ଏକ ଘରୋଇ ଔଷଧ ଦୋକାନ ଯାଞ୍ଚ ପରେ ଜିଲାପାଳ ତୁରନ୍ତ ଏଠାରେ ତାଲା ପକାଇବାକୁ ବିଡିଓଙ୍କୁ କହିଥିଲେ। ବିଡିଓ ପ୍ରଧାନ ତାଲା ପକାଇଥିଲେ। ସରକାର ମାଗଣାରେ ସମସ୍ତ ସ୍ବାସ୍ଥ୍ୟସେବା ତଥା ଔଷଧ ଦେଉଥିବାବେଳେ, ମେଡିକାଲ ପରିସରରେ ଘରୋଇ ଔଷଧ ଦୋକାନ ପାଇଁ ମନା କରିଥିଲେ। ଏହାଛଡ଼ା ମେଡିକାଲ ଡାକ୍ତର ସେହି ଔଷଧ ଦୋକାନରେ ବସୁଥିବାରୁ ତାଙ୍କୁ ତାଗିଦ୍‌ କରିଥିଲେ।
ଏହାପରେ ଜିଲାପାଳ, ବିଧାୟକ, ଗୌଡ଼ଗୋଠ ସରପଞ୍ଚ ରାମ ଶବର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁଙ୍କ ସମେତ ୧୦ ଜଣିଆ ଦଳ ବଡ଼ଗଡ଼ ପଞ୍ଚାୟତର ଆଦିବାସୀ ଗ୍ରାମ ଶଗଡ଼ବସାକୁ ଯାଇଥିଲେ। ପାରମ୍ପରିକ ନୃତ୍ୟଗୀତ ସହ ଗ୍ରାମବାସୀ ପାଛୋଟି ନେଇଥିଲେ। ପରେ ଘୁଷୁରିଡ଼ଙ୍ଗା ଜଳ ପ୍ରପାତ ବୁଲିବାକୁ ଯାଇଥିଲେ। ୫୦ ଫୁଟ ଉଚ୍ଚାରୁ ପାଣି ପଡୁଥିବା ଦେଖି ଜିଲାପାଳ ଏହାକୁ ପର୍ଯ୍ୟଟନସ୍ଥଳ କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି କହିଥିଲେ। ଜଳପ୍ରପାତରୁ ସିଧାସଳଖ ଗ୍ରାମକୁ ୨୪ ଘଣ୍ଟିଆ ପାଣି ଆସୁଥିବା ବ୍ୟବସ୍ଥାକୁ ଦେଖିବା ସହ ପାଣି ପିଇଥିଲେ। ସୂଚନାଯୋଗ୍ୟ ଯେ ବିଧାୟକ ୨ଦିନ ତଳେ ଶଗଡ଼ବସା ଅଞ୍ଚଳକୁ ପରିଦର୍ଶନ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରସ୍ତାବରେ ଜିଲାପାଳ ଆସି ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସମେତ ପର୍ଯ୍ୟଟନସ୍ଥଳ ପାଇଁ ସମସ୍ତ ପ୍ରକାର ସୁବିଧା ନିମନ୍ତେ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Share