Categories: ରାଜ୍ୟ

ଘୂର୍ଣ୍ଣିବଳୟ: ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ରାତିରୁ ଆରମ୍ଭ ହୋଇ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଦାରିଙ୍ଗବାଡ଼ିରେ ସର୍ବାଧିକ ୧୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୧୬.୨, ଗୋପାଳପୁର ୧୦, ସୋନପୁର ଓ ଫୁଲବାଣୀ ୭.୬, ହୀରାକୁଦ ୭.୨, ସମ୍ବଲପୁର ୫.୨, ପୁରୀ ୪.୮, ଭବାନୀପାଟଣା ୪, କଟକ ୩.୮, ତାଳଚେର ଓ ଅନୁଗୋଳ ୩, ସୁନ୍ଦରଗଡ଼ ୨. ୩, ଟିଟିଲାଗଡ଼ ୨, ପାରାଦୀପ ୧.୩, ନୟାଗଡ଼ ୧.୨, ଛତ୍ରପୁର, ଝାରସୁଗୁଡ଼ା ୧ ଓ ଭୁବନେଶ୍ୱରରେ ୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କେତେକ ଜିଲାରେ ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ବର୍ଷା ସହ ବଜ୍ରପାତ ଓ କୁଆପଥର ମଧ୍ୟ ପଡ଼ିପାରେ। ଏହାସହ ୩୦-୪୦ କି.ମି. ବେଗରେ ପବନ ମଧ୍ୟ ବହିପାରେ। ଶନିବାର ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଆଦି ୫ ଜିଲାକୁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷେ ବର୍ଷା ଓ ଘନ କୁହୁଡ଼ି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ (ଏସ୍‌ଆର୍‌ସି) ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୦ ତାରିଖ ଯାଏ ସତର୍କ ରହିବାକୁ କୁହାଯାଇଛି। ସ୍ଥିତି ଉପରେ ନଜର ରଖିବା ସହ ଅଘଟଣ ଘଟିଲେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share