ଘୂର୍ଣ୍ଣିବଳୟ ପୂର୍ବରୁ ଚାଷୀଙ୍କୁ ସତର୍କକଲା ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ତଜ୍ଜନିତ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ଗୁରୁବାରଠାରୁ ୧୮ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଅଛି। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାରୂପ ନେବା ସମ୍ଭାବନା ଅଛି। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସଂହପୁର, କଟକ ଓ ପୁରୀ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷାହେବା ସହ ଅଧିକ ବେଗରେ ପବନ ବହିବା ସମ୍ଭାବନା ମଧ୍ୟ ରହିଛି। ଏହି ସମୟରେ ବିଭିନ୍ନ ଫସଲ ଓ ପଶୁପାଳନର ସୁପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଲଘୁଚାପ ଜନିତ ବର୍ଷା ପରେ ଜମିରେ ଥିବା ଡାଳୁଅ ଧାନ, ରାଶି, ନଳିତା, ବାଇଗଣ, ଲଙ୍କା, ଭେଣ୍ଡି ଓ କଖାରୁ ଜାତୀୟ ପନିପରିବା ଏବଂ ବିଭିନ୍ନ ଫୁଲଚାଷ କରାଯାଇଥିବା ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ଅମଳ ଉପଯୋଗୀ ଡାଳୁଅଧାନକୁ କାଟିଆଣି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। ସାମୟିକ ଭାବେ କୀଟନାଶକ ସିଞ୍ଚନ ଓ ଜଳସେଚନ ବନ୍ଦ ରଖନ୍ତୁ। ଆମ୍ବ, କଦଳୀ ଓ ଅମୃତଭଣ୍ଡା ପାକଳ ଅବସ୍ଥାରେ ଥିଲେ ପବନ ବହିବା ପୂର୍ବରୁ ତାକୁ ତୋଳି ଦିଅନ୍ତୁ। କାଜୁବାଦାମ ଅମଳ ଅବସ୍ଥାରେ ଥିଲେ ଏହାର ମଞ୍ଜିକୁ ତୋଳି ଶୁଖାଇ ରଖନ୍ତୁ। ଆଭ୍ୟନ୍ତରୀଣ ଜିଲାରେ ଘଣ୍ଟା ପ୍ରତି ୪୦-୫୦କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାଦ୍ୱାରା ଝଡ଼ିପଡ଼ିଥିବା କଞ୍ଚା ଆମ୍ବ ଖାଇବା ଉପଯୋଗୀ ନ ହେଲେ ସେଗୁଡ଼ିକୁ ସଂଗ୍ରହକରି ପାଣିରେ ୨୪ଘଣ୍ଟା ଭିଜାଇରଖି ମାଟିରେ ପୋତନ୍ତୁ। ଏହାଦ୍ୱାରା ଟାକୁଆଘୁଣି ପୋକର ପ୍ରାଦୁର୍ଭାବ କମାଯାଇପାରିବ। ବର୍ଷା ଯୋଗୁ ଲଟାଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃର୍ଷୁଙ୍ଗା ହୋଇଯିବା ଆଶଙ୍କା ରହିଛି। ବର୍ଷା ପରବର୍ତ୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରଭୃତି ପନିପରିବାରେ ମୂଳଶଢ଼ା ରୋଗ ଦେଖାଦେବା ସମ୍ଭାବନା ରହିଛି। ଗୋରୁଗାଈଙ୍କ ପାଇଁ ଯଥେଷ୍ଟ ପରିମାଣର ଶୁଖିଲା ଖାଦ୍ୟ ଓ ପାଣି ସଞ୍ଚୟକରି ଘରେ ରଖନ୍ତୁ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ଅନୁରୋଧ କରାଯାଉଛି।

Share