Categories: ଜାତୀୟ

‘ଘୃଣା, ହିଂସା ବିକାଶର ଶତ୍ରୁ’

ନୂଆଦିଲ୍ଲୀ,୫ା୩(ପି.ଟି.): ଘୃଣା ଓ ହିଂସା ବିକାଶର ଶତ୍ରୁ। ଦେଶରେ ବିସ୍ତାର କରାଯାଉଥିବା ବିଭାଜନବାଦୀ ନୀତିରୁ ‘ଭାରତମାତା’ର କ୍ଷତି ସାଧିତ ହେବ ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। କଂଗ୍ରେସ ପ୍ରତିନିଧି ଦଳ ସହ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାବେଳେ ରାହୁଲ ଏଭଳି ମତ ଦେଇଛନ୍ତି।
ପକ୍ଷରୁ ଦୁଇଟି ସ୍ବତନ୍ତ୍ର ପ୍ରତିନିଧି ଦଳ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ଅଞ୍ଚଳ ବୁଲିଛନ୍ତି। ରାହୁଲଙ୍କ ନେତୃତ୍ୱରେ ଗଠିତ ଦଳରେ କେ.ସି. ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ, କେ. ସୁରେଶ, ମୁକୁଲ ଓ୍ବାସନିକ୍‌, କୁମାରୀ ସେଲ୍‌ଜା, ଗୌରବ ଗୋଗୋଇ ଓ ରଣୀଦପ ସୁର୍ଜଓ୍ବୋଲା ସାମିଲ ଥିଲେ। ଏହି ପ୍ରତିନିଧି ଦଳ ଦଙ୍ଗାକାରୀମାନେ ପୋଡ଼ିଦେଇଥିବା ବ୍ରିଜ୍‌ପୁରୀସ୍ଥିତ ଅରୁଣ ମଡର୍ନ ପବ୍ଲିକ୍‌ ସିନିୟର ସେକେଣ୍ଡାରି ସ୍କୁଲ ପରିଦର୍ଶନ କରିଥିଲେ। ଏହି ଅବସରରେ ରାହୁଲ କହିଥିଲେ, ଏହି ୩୨ ବର୍ଷ ପୁରୁଣା ସ୍କୁଲ ହେଉଛି ଭାରତର ଭବିଷ୍ୟତ। ଘୃଣା ଓ ହିଂସା ଏହାକୁ ଧ୍ୱଂସ କରିଦେଇଛି। ଏଥିରେ କେହି ଲାଭ ପାଇନାହାନ୍ତି। ହିଂସା ଓ ଘୃଣା ବିକାଶର ଶତ୍ରୁ। ପରେ ସେମାନେ ସ୍କୁଲ ନିକଟସ୍ଥ ଦଙ୍ଗା ପ୍ରଭାବିତ ଏକ ମସ୍‌ଜିଦକୁ ମଧ୍ୟ ପରିଦର୍ଶନରେ ଯାଇଥିଲେ। କଂଗ୍ରେସର ଅନ୍ୟ ଏକ ପ୍ରତିନିଧି ଦଳରେ ହିବି ଏଡେନ୍‌, ଗୁର୍‌ଜିତ୍‌ ସିଂ ଅଉଜଲା ଓ ଅବ୍‌ଦୁଲ୍‌ ଖାଲିକ୍‌ଙ୍କ ସମେତ କେତେଜଣ ଏମ୍‌ପି ସାମିଲ ଥିଲେ। ସେମାନେ କେରଳ ହାଉସ୍‌ରୁ ଏକ ବସ୍‌ରେ ଚାନ୍ଦବାଗ ଯାଇ ସ୍ଥାନୀୟ ଦୋକାନୀମାନଙ୍କ ସହ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶ ଯେ, ଗତ ସପ୍ତାହରେ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ହିଂସା ଘଟିଥିଲା। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେବା ପରେ ୪୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାସହ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆହତ ହୋଇଥିଲେ।

Share