ଘୋଷଯାତ୍ରା ମଧ୍ୟରେ ହେବ ଶ୍ରୀମନ୍ଦିର ମରାମତି : ୮ ଦିନରେ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ମରାମତି କାମ ହେବ। ଆସନ୍ତା ଜୁଲାଇ ୪ରେ ଘୋଷଯାତ୍ରା ଶେଷ ହେବା ପରେ ୫ ଓ ୬ତାରିଖରେ ଏଏସ୍‌ଆଇ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିବ। ଗର୍ଭ ଗୃହ, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ, ରୋଷ ଘର ସବୁକିଛି ଅନୁଧ୍ୟାନ ହେବ। ଏହାପରେ ୭ତାରିଖରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ। ୧୪ତାରିଖ ସନ୍ଧ୍ୟା ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିରରେ ମରାମତି କାମ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରର ଓପେପା ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମହାପାତ୍ର ସୂଚନା ଦେଇ କହିଛନ୍ତି, ନୀଳଚକ୍ର ସୁରକ୍ଷିତ ଅଛି। ନୀଳଚକ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ରାସାୟନିକ ବିଶ୍ଳେଷଣ କରାଯିବ। ସେହିପରି ସିଂହଦ୍ୱାରରେ ପଥରରେ ନିର୍ମିତ ସ୍ଥାୟୀ ଜୟ-ବିଜୟ ମୂର୍ତ୍ତି ଲାଗିବ। ବର୍ତ୍ତମାନ ପିତ୍ତଳର ମୂର୍ତ୍ତି ରଖାଯିବ। ଆସନ୍ତା ୧୬ତରିଖରେ ଜୟ-ବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଗର୍ଭଗୃହରେ ଫାଟ ନାହିଁ। କିନ୍ତୁ କେତେଜଣ ସେବାୟତ ଅଭିଯୋଗ କରିଥିଲେ। ତେଣୁ ତାହା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଦୁଇଦିନ ଧରି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ କରିବ। ଯେଉଁଠି ଅଧିକ କ୍ଷତି ହୋଇଥିବ, ତାହା ଅଧିକ ଦିନ ଲାଗିପାରେ। ତେବେ ସେମିତି ଅଧିକ କ୍ଷତି ହୋଇ ନ ଥିବା ଆଶା କରାଯାଉଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି। ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣନ କୁମାରଙ୍କ ସହ ଏଏସ୍‌ଆଇ ସଦସ୍ୟ ଉପସ୍ଥିତ ଥିଲେ।

Share