Categories: ଖେଳ

ଚକିତ କଲା ଜର୍ଜ ବେଲିଙ୍କ ନୂଆ ବ୍ୟାଟିଂ ଷ୍ଟାନ୍ସ

ହାବର୍ଟ,୧।୧୧- ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଜର୍ଜ ବେଲି ପୁଣି ଥରେ ବ୍ୟାଟିଂ ଷ୍ଟାନ୍ସରେ ପ୍ରୟୋଗ କରିଛନ୍ତି। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଟାସ୍‌ମାନିଆ ଓ ଭିକ୍ଟୋରିଆ ମଧ୍ୟରେ ହାବର୍ଟଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ବେଲିଙ୍କ ଅସାଧାରଣ ବ୍ୟାଟିଂ ଷ୍ଟାନ୍ସ ଦେଖିବାକୁ ମିଳିଛି। ୪ର୍ଥ କ୍ରମରେ ବ୍ୟାଟିଂ ଆସିଥିବା ବେଲି ୨୫ତମ ଓଭରରେ ଭିକ୍ଟୋରିଆ ପେସର ଖ୍ରିସ୍‌ ଟ୍ରେମେନଙ୍କ ଆଡ଼କୁ ପିଠିକରି ଛିଡ଼ାହୋଇଥିଲେ। ମିଡ୍‌ଲ ଷ୍ଟମ୍ପରେ ବାମ ଗୋଡ଼ ରଖି ଥିବାବେଳେ ତାଙ୍କର ଡାହାଣ ଗୋଡ଼ ଲେଗ୍‌ ଷ୍ଟମ୍ପ ବାହାରେ ଥିଲା। ଅନ୍ତିମ ମୁହୂର୍ତ୍ତରେ ସାଧାରଣ ବ୍ୟାଟିଂ ସ୍ଥିତିକୁ ଆସି ପୁଲ୍‌ ଶଟ୍‌ ଖେଳିଥିଲେ। ଟୁଇଟରରେ ଶେୟାର ହୋଇଥିବା ଏହାର ଭିଡିଓ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି। ସେ ୬୭ ବଲର ସମ୍ମୁଖୀନ ହୋଇ ୬ ଚୌକା ସହାୟତାରେ ୪୧ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ପ୍ରତିପକ୍ଷ ଦଳର ସ୍ପିନର ଜନ୍‌ ହୋଲାଣ୍ଡଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୩୭ ବର୍ଷୀୟ ବ୍ୟାଟ୍ସମ୍ୟାନ ଭିନ୍ନ ଷ୍ଟାନ୍ସରେ ଛିଡ଼ାହେବା କିଛି ନୂଆ ଘଟଣା ନୁହେଁ। ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସେ ଭିନ୍ନ ଷ୍ଟାଇଲରେ ଛିଡ଼ାହୋଇ ବୋଲରଙ୍କୁ ଚକିତ କରିବାର ଦୃଷ୍ଟାନ୍ତ ରହିଛି। ଜାତୀୟ ଦଳ ପାଇଁ ସେ ୫ ଟେଷ୍ଟ ସହ ୯୦ ଦିନିକିଆ ଖେଳିଛନ୍ତି। ୭ ଶତକ ସହ ଦିନିକିଆ କ୍ୟାରିୟରରେ ୩୦୪୪ ରନ୍‌ କରିଛନ୍ତି।

Share