ଭୁବନେଶ୍ୱର, ୨୯।୯ (ବ୍ୟୁରୋ): ଚଳିତବର୍ଷ ୧୯ ବର୍ଷରେ ପଦାର୍ପଣ କରିଛି ଚକେଇସିଆଣି ଦୁର୍ଗାପୂଜା। ଏଥର ପୂଜା ବଜେଟ ୨୨ ଲକ୍ଷ ଟଙ୍କା ରହିଥିବାବେଳେ ତୋରଣରେ ଝଲସିବ ନେପାଳ ରାଜପ୍ରାସାଦ। ଏଥିପାଇଁ ୪୦ କାରିଗର ନିୟୋଜିତ ହୋଇଥିବାବେଳେ ପାଖାପାଖି ୧୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଚକେଇସିଆଣି ଦୁର୍ଗାପୂଜା ସମିତି ପକ୍ଷରୁ କୁହାଯାଇଛି। ଚୁଡ଼ି, ଲିଚୁରେ ୮୦ ଫୁଟ ଉଚ୍ଚ ଓ ୬୦ ଫୁଟ ଦୀର୍ଘବିଶିଷ୍ଟ ଏହି ତୋରଣ ତିଆରି ଚାଲିଛି। ଏଥିସହ ସାଢେ ୫ କିଲୋମିଟର ଅଞ୍ଚଳକୁ ରଙ୍ଗୀନ ଆଲୋକରେ ସଜାଯିବ। ୫ ବୃହତ୍ତ ଏଲ୍ଇଡି ତୋରଣ ସହ ଛୋଟ ବଡ଼ ଷ୍ଟ୍ରକ୍ଚର ଚୋରଣ ଅନ୍ୟତମ ଆକର୍ଷଣ ସାଜିବ। ମା’ଙ୍କର ୧୫ ଫୁଟ ଉଚ୍ଚର ମୃଣ୍ମୟୀ ମୂର୍ତ୍ତି ସହ ୨୦ ଫୁଟର ମେଢ ଶୋଭା ପାଇବ। ମା’ ଓ ପାଶର୍ବ ଦେବଦେବୀ ଚାନ୍ଦି ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମୁକୁଟଠାରୁ ଆରମ୍ଭ କରି ତ୍ରିଶୂଳ ଓ ଝରା ଆଦି ଚାନ୍ଦିରେ ତିଆରି ହୋଇଥିବା ପୂଜା କମିଟି ପକ୍ଷରୁ ନଟବର ସ୍ବାଇଁ, ପିଣ୍ଟୁ ରାଉତ ଓ ସଞ୍ଜୟ ଦାସ ସୂଚନା ଦେଇଛନ୍ତି।