Categories: ଫୁରସତ

ଚକ୍‌ ଖଣ୍ଡକୁ ନୂଆ ଜୀବନ ଦେଉଛନ୍ତି ବଲରାଜ୍‌

ଆଜିକାଲିର ସମୟରେ ଧାନ, କାଠ, କାଗଜକୁ ଭଳିକି ଭଳି ରୂପ ନେଇ ନୂତନ କିଛି ସୃଷ୍ଟି କରୁଥିବା ଅନେକ ଆର୍ଟିଷ୍ଟ(କଳାକାର) ଦେଖିବାକୁ ମିଳେ। ହେଲେ ଚଣ୍ଡିଗଡ଼ର ଜଣେ ଶିକ୍ଷକ ଚକ୍‌ ଉପରେ କରୁଥିବା ନିଖୁଣ କଳାକୃତି ସମସ୍ତଙ୍କୁ ମୋହିତ କରୁଛି। ପାଞ୍ଚ ବର୍ଷ ଧରି ସେ ଏପରି କରିଆସୁଛନ୍ତି।

ଚଣ୍ଡିଗଡ଼ ସେକ୍ଟର-୨୧ ଅଞ୍ଚଳରେ ରୁହନ୍ତି ବଲରାଜ ସିଂହ। ସେ ପେସାରେ ଜଣେ ଶିକ୍ଷକ। ଆଇଏସ୍‌ ଦେବ ସମାଜ ସ୍କୁଲରେ ସେ ଶିକ୍ଷକତା କରୁଥିଲେ ହେଁ ନିଶା ତାଙ୍କର ଭିନ୍ନ। ଚକ୍‌ ଖଣ୍ଡକୁ ମଣିଷ ରୂପ ଦେବାରେ ସେ ମାହିର। ଏବେ ସେ ଏହି କଳାରେ ଅଭ୍ୟସ୍ତ ହୋଇଗଲେଣି।

ଏକ ସାକ୍ଷାତ୍‌କାରରେ ବଲରାଜ ତାଙ୍କ ମନକଥା କହିଥିଲେ। ଏକଦା ସେ ଜଣେ ବନ୍ଧୁଙ୍କ ସହ ଷ୍ଟାଫ୍‌ ରୁମ୍‌ରେ ବସିଥିଲେ। ସେହି ସମୟରେ ତାଙ୍କ ହାତରେ ଏକ କଲମ ଏବଂ ଚକ୍‌ ଥିଲା। କଥା ହେବା ସମୟରେ ସେ ଚକ୍‌ ଉପରେ କଲମରେ କିଛି ଆଙ୍କି ଚାଲିଥିଲେ। ମନ ଭିତରୁ ଆସୁଥିବା କଥାକୁ ସେ ଚକ୍‌ ଉପରେ ଥୋଇଥିଲେ। ଘଣ୍ଟାଏ ପରେ ସେ ଚକ୍‌ରେ ଜଣେ ମନୁଷ୍ୟର ପ୍ରତିଛବିକୁ ଦେଖିଥିଲେ। ତାଙ୍କ ବନ୍ଧୁ ମଧ୍ୟ ଏହାକୁ ଦେଖି ତାଙ୍କର ପ୍ରଶଂସା କରିବା ସହ ଏହି କଳା ଉପରେ କାମ କରିବାକୁ କହିଥିଲେ। ପରେ ସେ ଇଣ୍ଟରନେଟ୍‌ରେ ଏହି କଳା ବିଷୟରେ ଜାଣିବାକୁ ଖୋଜିଥିଲେ। ଶେଷରେ ଦକ୍ଷିଣ ଭାରତୀୟ ଲୋକେ ଏହା କରୁଥିବା ସେ ଜାଣିପାରିଥିଲେ।

ପ୍ରଥମେ ମୁହଁ ଆଙ୍କିବାକୁ ସହଜ ଲାଗୁଥିଲା। ହେଲେ ଶରୀରର ଅନ୍ୟ ଭାଗ ଆଙ୍କିପାରୁ ନ ଥିଲେ। ବେଳେବେଳେ ଚକ୍‌ ମଧ୍ୟ ଭାଙ୍ଗି ଯାଉଥିଲା। ମାତ୍ର ସେ ଗନ୍ତବ୍ୟ ପଥରୁ ଓହରି ଯାଇ ନ ଥିଲେ। ଚେଷ୍ଟା ଜାରି ରଖିବା ଯୋଗୁ ଶେଷରେ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ଶିଖି ପାରିଥିଲେ।

ଏବେ ବଲ୍‌ରାଜଙ୍କ ପାଖରେ ୩୫୦ରୁ ଅଧିକ କଲେକ୍ସନ ରହିଛି। ଗୁରୁ ନାନକଙ୍କଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ପର୍ଯ୍ୟନ୍ତ, ପ୍ରାୟ ସମସ୍ତଙ୍କ ଛବି ସେ ଚକ୍‌ ଖଣ୍ଡ ଉପରେ ଆଙ୍କିଛନ୍ତି।

Share