ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନେକ ବଡ଼ କଳାକାରଙ୍କ ସମେତ ବହୁ ନୂଆ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ୨ଟି ସିନେମାରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ସାମିଲ ରହିଛି। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା (ମହିଳା) ରୂପେ ପୁରସ୍କୃତ କରାଯାଇଛି। ଝିଅକୁ ଏହି ଆଓ୍ବାର୍ଡ ମିଳିବା ପରେ ବାପା ଚଙ୍କି ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଅନେକ ବର୍ଷ ହେବ ମୁଁ ବଲିଉଡ୍‌ରେ କାମ କରିଛି। ଏବେ ମଧ୍ୟ ଅଭିନୟ କରୁଛି। ଲମ୍ବା କ୍ୟାରିୟରରେ ମୋତେ କେବେହେଲେ ଏହି ଆଓ୍ବାର୍ଡ ମିଳିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି, ୩୪ ବର୍ଷର ଅଭିନୟ କ୍ୟାରିୟରରେ ତେଜାବ, ଆଖେଁ, ହାଉସଫୁଲ, ଅପ୍‌ନା ସପ୍‌ନା ମନି ମନି ଆଦି ସିନେମା ପାଇଁ ୪ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ନିମନ୍ତେ ତାଙ୍କୁ ମନୋନୀତ କରାଯାଇଛି। ମାତ୍ର ସେ କେବେହେଲେ ଏହି ପୁରସ୍କାର ପାଇ ନାହାନ୍ତି। ଝିଅ ଏହି ପୁରସ୍କାର ପାଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ଏହା ତାଙ୍କୁ ବିଶ୍ୱାସ ହେଉ ନ ଥିବା ମଧ୍ୟ ସେ କୁହନ୍ତି।

Share